ଯାଜପୁର: ସୁକନ୍ୟା ସମୃଦ୍ଧି ଯୋଜନା ବଡ ଦୁର୍ନୀତି,ଡାକଘର ଜମାଖାତାରେ ଜମା ପରେ ଟଙ୍କା ଗାୟବ

ଯାଜପୁର(କେନ୍ୟୁଜ୍): ସୁକନ୍ୟା ସମୃଦ୍ଧି ଯୋଜନାରେ ଠକାମୀ। ଡାକଘର ଜମାଖାତାରେ ଜମା ଟଙ୍କା ନାହିଁ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡିଆ ପୋଷ୍ଟ ଅଫିସରୁ। ସୁକନ୍ୟା ସମୃଦ୍ଧି ଯୋଜନାରେ ଜଣେ ଜମାକର୍ତ୍ତା ଜମାରାଶି ଜମା କରିବା ପରେ ଜମା ଖାତାରେ ଅର୍ଥ ରାଶି ନଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ କ୍ଷେତ୍ରପାଳ ଗ୍ରାମର ସାରଦା ପ୍ରସାଦ ସାମନ୍ତରାୟ ତାଙ୍କ ଦଶ ବର୍ଷର ଝିଅ ସିମରନ୍ ଙ୍କ ନାମରେ କଣ୍ଟିଗଡିଆ ସ୍ଥିତ ଉପଡାକଘରେ ୨୬ ଅଗଷ୍ଟ ୨୦୧୫ ମସିହାରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲି ଏକ ହଜାର ଟଙ୍କା ଲେଖାଏଁ ଜମା କରି ୧ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ଜମା ଖାତାରେ ଟଙ୍କା ଜମା ହୋଇ ଥିବା ଉଲ୍ଲେଖ ଥିବା ବେଳେ ପୋଷ୍ଟ ମାଷ୍ଟରଙ୍କ ଦସ୍ତଖତ ଓ ଷ୍ଟାମ୍ପ ଲଗାଯାଇଛି ।

ତେବେ ଶ୍ରୀ ସାମନ୍ତରାୟ ଟଙ୍କା ଜମା କରିବା ପାଇଁ ଯାଇଥିବା ବେଳେ କମ୍ପୁଟରରେ ଜମାବହି ଚେକିଂ କରିବାରୁ ଜମାବହିରେ ମାତ୍ର ଏକ ହଜାର ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ଏନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପୋଷ୍ଟ ମାଷ୍ଟରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଗତ ଅକ୍ଟୋବର ମାସରୁ ପୋଷ୍ଟ ଅଫିସ କମ୍ପୁଟରିକରଣ କରାଯାଇଥିବା ବେଳେ ସମସ୍ତ ନଥିପତ୍ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରେ ଏପରି ତୃଟି ହୋଇ ଥିବା ନେଇ ସୂଚନା ଦେଇଛନ୍ତି ପୋଷ୍ଟ ମାଷ୍ଟର। । ଏହାର ସମାଧାନ ଏକ ମାସ ଭିତରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଉପଡାକଘରେ ବାରମ୍ବାର ଏପରି ଅଭିଯୋଗ ଆସୁଥିଲେ ସୁଦ୍ଧା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟି ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.