ଅନ୍ୟ ଦଳରୁ ଆସି ବିଜେଡିରୁ ଜିତିଥିବା ନେତାଙ୍କୁ ନିରାଶ କରି ନାହାନ୍ତି ନବୀନ, ମନ୍ତ୍ରିମଣ୍ଡଳରେ ମିଳିଛି ସ୍ଥାନ

ନିର୍ବାଚନ ବେଳେ ଦଳବଦଳ କରି ବିଜେଡି ଟିକେଟରେ ଜିତିଥିବା ବିଧାୟକଙ୍କୁ ନିରାଶ କରିନାହାନ୍ତି ନବୀନ । ମନ୍ତ୍ରିମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ସ୍ଥାନ ମିଳିଛି। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ୱାରା ଭିନ୍ନ ବାର୍ତ୍ତା ଦେବାକୁ ବିଜେଡି ସୁପ୍ରିମୋ ପ୍ରୟାସ କରିଥିବା କୁହାଯାଉଛି।
ନବୀନଙ୍କ ପଞ୍ଚମ ଇନିଂସ ମନ୍ତ୍ରିମଣ୍ଡଳରେ ଦଳବଦଳକାରୀ ନେତାଙ୍କୁ ଗୁରୁତ୍ୱ । କଂଗ୍ରେସ ଛା଼ଡି ଏଥର ବିଜେଡି ଟିକେଟରେ ଝାରସୁଗୁଡ଼ା ଆସନରୁ ଜିତିଥିବା ନବ କିଶୋର ଦାସଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ପଦ । ସେହିପରି ଆଉ ଜଣେ ହେଲେ ମନ୍ତ୍ରୀ ରଘୁନନ୍ଦନ ଦାସ। ତାଙ୍କୁ ଦିଆଯାଇଛି ଜଳସମ୍ପଦ ଭଳି ଓଜନିଆ ବିଭାଗ। ନିର୍ବାଚନ ପୂର୍ବରୁ ରଘୁନନ୍ଦନ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ବିଶ୍ୱାସକୁ ଆଗକୁ ନେବେ ବୋଲି କହିଛନ୍ତି ସମ୍ପୃକ୍ତ ମନ୍ତ୍ରୀ।
ସେହି ସମାନ କଥା ଦେଖିବାକୁ ମିଳିଛି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ଷେତ୍ରରେ। ନିର୍ବାଚନ ବେଳେ ସେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । କାକଟପୁର ଆସନରୁ ବିଧାୟକ ଭାବେ ଜିତିଥିବା ତୁଷାରକାନ୍ତିଙ୍କୁ ଯୁବ ବ୍ୟାପାର ଓ କ୍ରୀଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦିଆଯାଇଛି । ଅର୍ଥାତ ଅଲଗା ଦଳରୁ ବିଜେଡିକୁ ଆସିଥିବା ନେତାଙ୍କୁ ନିରାଶ କରିନାହାନ୍ତି ବିଜେଡି ସୁପ୍ରିମୋ। ଅଲଗା ଦଳରୁ ଆସିଥିବା ନେତାଙ୍କୁ ମନ୍ତ୍ରୀ କରି ବିଜେଡି ସୁପ୍ରିମୋ ଏକ ଭିନ୍ନ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ବୋଲି କୁହାଯାଉଛି।