ସ୍କଟ୍‌ଲାଣ୍ଡରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଜଳପ୍ରପାତରେ ବୁଡ଼ିଗଲେ

ଆମେରିକା ପରେ ଏବେ ସ୍କଟଲାଣ୍ଡରୁ ମଧ୍ୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଣିରେ ବୁଡ଼ି ଏଠାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ଜଣାପଡ଼ିଛି ।

ଆମେରିକା ପରେ ଏବେ ସ୍କଟଲାଣ୍ଡରୁ ମଧ୍ୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଣିରେ ବୁଡ଼ି ଏଠାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ଜଣାପଡ଼ିଛି । ମୃତ ଛାତ୍ରଦ୍ୱୟ ହେଲେ, ୨୬ ବର୍ଷୀୟ ଜିତେନ୍ଦ୍ରନାଥ କରୁତୁରୀ ଓ ୨୨ ବର୍ଷୀୟ ଚାଣକ୍ୟ ବୋଲିସେଟି । ଉଭୟ ସ୍କଟ୍‌ଲାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ ।

ସ୍କଟଲାଣ୍ଡର ଏକ ପର୍ଯ୍ୟଟନସ୍ଥଳୀରେ ଛାତ୍ରଦ୍ୱୟଙ୍କ ମୃତଦେହ ମିଳିଥିଲା । ବୁଧବାର ରାତିରେ ଲିନ୍‌ ଅଫ୍‌ ଟୁମେଲ ଜଳପ୍ରପାତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଜଳପ୍ରପାତ ସ୍କଟଲାଣ୍ଡର ଉତ୍ତର-ପଶ୍ଚିମରେ ରହିଛି, ଯେଉଁଠାରେ ଗାରି ଓ ଟୁମେଲ ନଦୀ ମିଶିଛନ୍ତି । ଏହି ଦୁଇ ଭାରତୀୟ ଛାତ୍ର ଅନ୍ୟ ଚାରିଜଣ ସାଙ୍ଗଙ୍କ ସହ ମିଶି ଏକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥିଲେ । ଏହି ସମୟରେ ଦୁଃଖଦ ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ଚାରିଜଣ ସାଙ୍ଗ ଟ୍ରେକିଂ ପାଇଁ ଲିନ୍‌ ଅଫ୍‌ ଟୁମେଲ ଜଳପ୍ରପାତ ଆଡକୁ ଯାଇଥିଲେ । ଏହି ସମୟରେ ଦୁଇଜଣ ଛାତ୍ର ପାଣିରେ ପଡ଼ିଯାଇଥିଲେ ଏବଂ ବୁଡ଼ିଯିବା କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତ ଛାତ୍ରମାନଙ୍କ ସାଙ୍ଗମାନେ ଜରୁରୀକାଳୀନ ସେବାକୁ କଲ୍‌ କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉଭୟ ଛାତ୍ର ସ୍କଟଲାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟରୁ ମାଷ୍ଟର୍ସ କରୁଥିଲେ । ସେପଟେ ଏହି ଦୁର୍ଘଟଣା ପରେ ବିଶ୍ୱବିଦ୍ୟାଳୟ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାର ଆଶ୍ୱସନା ଦେଇଛି ।

ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ଦୁଇ ଛାତ୍ରଙ୍କ ମୃତଦେହ ଜଳପ୍ରପାତର ତଳମୁଣ୍ଡରୁ ଉଦ୍ଧାର କରାଯାଇଛି । ଭାରତୀୟ କନସୁଲେଟ୍ ଜେନେରାଲ ଉଭୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ କରିଛନ୍ତି । ସେମାନଙ୍କ ମୃତଦେହ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ । ଏହାପରେ ମୃତଦେହକୁ ଭାରତ ପଠାଇବାର ପ୍ରକ୍ରିୟା ଆରମ୍ଭ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.