ସାରା ଓଡ଼ିଶାରେ ବିଜେପିର ଅପ ପ୍ରଚାର ଉପରେ ରୋକ ଲଗାଇବ ବିଜେଡି, ସଂସଦରେ ପୁଣି ଶାଣିତ କରିବ ସ୍ୱର

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ପୁଣି ସ୍ୱର ଶାଣିତ କରିବ ବିଜେଡି । ସାରା ଓଡ଼ିଶାରେ ଅପ ପ୍ରଚାର ଉପରେ ରୋକ ଲଗାଇବ ବିଜେଡି । ୫ କେଜି ଚାଉଳ କାଟିବା, ମହିଳା ସଂରକ୍ଷଣ ବିଲ ପାସ କରିବା, ଆବାସ ଯୋଜନାରେ ୪ ଲକ୍ଷ ଘର କାଟିବା ଆଦି ପ୍ରସଙ୍ଗ ସଂସଦରେ ଜୋରଦାର ଉଠାଇବ ଦଳ । ସେହିପରି ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗରେ କେନ୍ଦ୍ର ଉପରେ ଜୋରଦାର ଚାପ ପକାଇବ ବିଜେଡି । ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳା,ମୋବାଇଲ ଯୋଗାଯୋଗ, ରାଷ୍ଟ୍ରୀୟ ରାଜମାର୍ଗ ଆଦି ପ୍ରସଙ୍ଗ ଉଠାଇବ ଦଳ । ସଂସଦ ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳର ବୈଠକରେ ସଂସଦର ବଜେଟ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ଅଧିବେଶନ ବେଳେ ବିଜେଡି କେଉଁ କେଉଁ ପ୍ରସଙ୍ଗ ଉଠାଇବ ତାହା ଉପରେ ହେବ ଆଲୋଚନା କରାଯାଇଛି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକୁ ସଂସଦରେ ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୟୁପି ଭଳିଆ ରାଜ୍ୟରେ ଆୟୁଷମାନ ଯୋଜନାରେ ଯେତିକି ଖର୍ଚ୍ଚ ହେଉଛି, ଗଞ୍ଜାମ ଜିଲ୍ଲାରେ କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସେତିକି ଖର୍ଚ୍ଚ ହେଉଛି । ଏହାକୁ ନେଇ ଅପ ପ୍ରଚାର କରାଯାଉଛି । ଏ ପ୍ରସଙ୍ଗ ବିଜେଡି ସଂସଦରେ ଉଠାଇବ ।

ଦିନକୁଦିନ ଓଡିଶା ପ୍ରତି କେନ୍ଦ୍ରର ଆର୍ଥିକ ସହାୟତା କମି ଯାଉଛି। ଏ ପ୍ରସଙ୍ଗ ବି ଦଳ ପକ୍ଷରୁ ଉଠାଯିବ । ଜାନୁଆରୀ ୩୧ରୁ ଆରମ୍ଭ ହେଉଛି ସଂସଦ ଅଧିବେଶନ। ଆଜିର ବୈଠକରେ ସାଂସଦ ଚନ୍ଦ୍ରଶେଖର ସାହୁ, ଡ. ଅଚ୍ୟୁତ ସାମନ୍ତ, ମମତା ମହନ୍ତ, ମୁନା ଖାଁ, ରମେଶ ମାଝି, ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ଅମର ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।