ବଦଳିଲା ରାଷ୍ଟ୍ରପତି ଭବନର ଆକର୍ଷଣୀୟ ମୋଗଲ ଗାର୍ଡେନର ନାମ; ଏବେ ‘ଅମୃତ ଉଦ୍ୟାନ’ ନାମରେ ହେବ ପରିଚିତ
କେନ୍ଦ୍ର ସରକାର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ସରକାର ମୋଗଲ ଗାର୍ଡେନର ନାମ ବଦଳାଇ ‘ଅମୃତ ଉଦ୍ୟାନ’ କରିଛନ୍ତି। ସୂଚନାଥାଉ କି, ଏହାପୂର୍ବରୁ ଦିଲ୍ଲୀରେ ଅନେକ ମୋଗଲ ଶାସକଙ୍କ ନାମରେ ନିର୍ମିତ ରାସ୍ତାଗୁଡ଼ିକର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଔରଙ୍ଗଜେବ ରୋଡ୍ର ନାମ ବଦଳାଯାଇ ଏପିଜେ ଅବଦୁଲ କଲାମ ରୋଡ୍ କରାଯାଇଥିଲା।
ରାଷ୍ଟ୍ରପତି ଭବନ ତରଫରୁ ଜାରି ବୟାନରେ କୁହାଯାଇଛି ଯେ ଚଳିତ ବର୍ଷ ୩୧ ଜାନୁୟାରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ (ମୋଗଲ ଗାର୍ଡେନ୍) ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହାପରେ ୨୮ ମାର୍ଚ୍ଚରେ କେବଳ ଚାଷୀଙ୍କ ପାଇଁ ଏବଂ ୨୯ ମାର୍ଚ୍ଚରେ କେବଳ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ଖୋଲାଯିବ।
ସେହିପରି ୩୦ ମାର୍ଚ୍ଚରେ ପୋଲିସ, ସୁରକ୍ଷା ବାହିନୀ ଏବଂ ସେନାର ପରିବାରଙ୍କ ପାଇଁ ଗାର୍ଡେନ ଖୋଲା ରହିବ। ଏହି ସମୟରେ ଭିଜିଟରମାନେ ଏଠାରେ ଥିବା ସୁନ୍ଦର ପୁଷ୍ପ ଉଦ୍ୟାନର ଆନନ୍ଦ ଉଠାଇ ପାରିବେ। ସୂଚନାଥାଉ କି, ଅମୃତ ଉଦ୍ୟାନ (ମୋଗଲ ଗାର୍ଡେନ୍)ରେ ୧୨ ପ୍ରକାରର ସୁନ୍ଦର ଟୁଲିପ୍ ଫୁଲ ରହିଛି। ସାଧାରଣ ଲୋକଙ୍କ ପାଇଁ ଉଦ୍ୟାନ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି।
ରାଷ୍ଟ୍ରପତି ଭବନ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି, କେବଳ ସେହି ଲୋକଙ୍କୁ ଅମୃତ ଉଦ୍ୟାନ ଯିବାକୁ ଅନୁମତି ଦିଆଯିବ, ଯେଉଁମାନେ ଅନଲାଇନ୍ ଆଡଭାନ୍ସ ବୁକିଂ ମାଧ୍ୟମରେ ପାସ୍ ଆଣିଥିବେ।
ଉଦ୍ୟାନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଅମୃତ ଉଦ୍ୟାନକୁ ଯିବା ପାଇଁ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୭ ହଜାର ୫୦୦ ଲୋକଙ୍କ ପାଇଁ ଟିକେଟ ଜାରି କରାଯିବ। ଏହାପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୁଣି ୧୦,୦୦୦ ଲୋକଙ୍କୁ ବଗିଚା ପରିଦର୍ଶନ ପାଇଁ ପାସ୍ ଜାରି କରାଯିବ।