ସରଗରମ ଧାମନଗର ରାଜନୀତି: ଆଜି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ(କେନ୍ୟୁଜ୍):ସରଗରମ ଧାମନଗର ରାଜନୀତି । ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ନାମାଙ୍କନ ଦାଖଲ ପୂର୍ବରୁ ପ୍ରଥମେ ବାପା ତଥା ଦିଂବଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ ।

ପ୍ରାର୍ଥିପତ୍ର ଦାଖଲ ବେଳେ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତାଙ୍କ ଭଉଣୀ ବି ସାଙ୍ଗରେ ଥିଲେ । ଧାମନଗର ଉପନିର୍ବାଚନ ପ୍ରାର୍ଥୀ ଘୋଷଣା ପୂର୍ବରୁ ମୈଦାନରେ ସମର୍ଥନ ଯୋଗାଡ଼ରେ ଲାଗିଥିଲେ ସୂର୍ଯ୍ୟବଂଶୀ ସୂରଜ । ତାଙ୍କ ନାଁରେ ବିଜେପି ମୋହର ମାରିବା ପରେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମର୍ଥନ ଲୋଡୁଛନ୍ତି ।

ଏପଟେ ଏବେ ବିଜେଡି ଓ କଂଗ୍ରେସ ଯୋଦ୍ଧାଙ୍କୁ ଅପେକ୍ଷା । ଧାମନଗର ଉପ ନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ତିନି ଜଣଙ୍କ ନାଁକୁ ଏଆଇସିସିକୁ ସୁପାରିସ କରିଛି ଦଳ। ବାବା ହରେକୃଷ୍ଣ ସେଠୀ କଂଗ୍ରେସରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।

କୌଣସି ମୁହୂର୍ତ୍ତରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଚର୍ଚ୍ଚା ହେଉଛି, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ କିମ୍ବା ବିଜୟ ସମ୍ଭାବନା ଥିବା ଜଣେ ନୂଆ ମୁହଁକୁ ବିଜେଡି ଟିକେଟ ଦେଇପାରେ । ରେସ୍‌ରେ ଅଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡାକ୍ତର ସଞ୍ଜୟ ଦାସ, ଶରତ ଦାସ ଓ ରାଜେନ୍ଦ୍ର ଜେନା । ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ ଭୋଟ୍‌ । ନଭେମ୍ବର ୬ରେ ବାହାରିବ ଫଳାଫଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.