Below header

ବୁଲା କୁକୁର ମୁଣ୍ଡ ପଶି ଯାଇଥିଲା ପ୍ଲାଷ୍ଟିକ୍‌ ଜାର୍‌ରେ, ବିଏମ୍‌ସି କଲା ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ୍‌) : ବୁଲା କୁକୁରଟିଏ କେଜାଣି କେମିତି ତା ମୁଣ୍ଡଟି ଗୋଟିଏ ପ୍ଲାଷ୍ଟିକ୍‌ ଜାର୍‌ ଭିତରେ ପଶି ଲାଖିଗଲା । ନିରୀହ ପଶୁଟି ତାକୁ ଆଉ ମୁହଁରୁ ବାହାର କରି ନପାରି ଇଆଡ଼େ ସିଆଡ଼େ ବୁଲୁଥାଏ । ନାଳ ନର୍ଦ୍ଦମା ବି ଜାଣି ପାରୁନଥାଏ । ଏ ଘଟଣାଟି ଘଟିଥିଲା ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ । କୁକୁରଟିର କଷ୍ଟ କିନ୍ତୁ କାହା ନଜରକୁ ଆସିଲା ନାହିଁ ।

ତେବେ ଏକଥାକୁ ଲକ୍ଷ୍ୟ କଲେ ଦେବୀ ପ୍ରସାଦ ମହାକୁଡ଼ ନାମକ ଜଣେ ବ୍ୟକ୍ତି । ସେ ତୁରନ୍ତ ଟ୍ଵିଟ୍‌ କରି ବିଏମ୍‌ସିକୁ ଅନୁରୋଧ କଲେ । ଆଉ ଚଟାପଟ୍‌ ଆକସନ୍‌ ନେଲା ବିଏମ୍‌ସି । ଏହାର ଏକ ଟିମ୍‌ କୁକୁରଟିକୁ ଠାବ କରି ତା ମୁହଁରେ ଲାଗିଥିବା ଜାର୍‌ଟିକୁ ବାହାର କରିବା ସହ ଚିକିତ୍ସା ମଧ୍ୟ କରାଇଥିଲେ । ଏ ସମ୍ପର୍କରେ ବିଏମ୍‌ସି କମିଶନର ସଞ୍ଜୟ ସିଂହ ସୂଚନା ଦେବା ସହିତ ପଶୁପ୍ରେମୀ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆହୁରି ମଧ୍ୟ ବିଏମ୍‌ସି ପକ୍ଷରୁ ଏଭଳି ଆହତ, ଅସୁସ୍ଥ ପଶୁମାନଙ୍କ ସୁରକ୍ଷା ତଥା ଚିକିତ୍ସା ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ରହିଛି । ଏହି ନମ୍ବରରେ ଫୋନ୍‌ କଲେ ତୁରନ୍ତ ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିବ । ଏଥିରେ କୁକୁର ଆଦି ପଶୁ ଧରାଳି, ଜଣେ ପଶୁ ଡାକ୍ତର ପ୍ରମୁଖ ରହୁଛନ୍ତି । ଦୁର୍ଘଟଣାରେ ଆହତ କିମ୍ବା ଅସୁସ୍ଥ ପଶୁମାନଙ୍କ ପାଇଁ ଏହି ଟିମ୍‌ ନିର୍ଦ୍ଦିଷ୍ଟ ଭାବେ ରହିଛନ୍ତି । ତେଣୁ ଏଭଳି କିଛି ଘଟଣା ହେଲେ ଟୋଲ ଫ୍ରି ନମ୍ବରରେ ଫୋନ୍‌ କରିବାକୁ ଅନୁରୋଧ କରାଯାଇଛି । ଏହି ଫୋନ୍‌ ନମ୍ବର ହେଉଛି– 1800 345 7458।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.