ମହତ୍‌ ବ୍ୟକ୍ତିଙ୍କ ମହତ୍‌ କାମ, ନିକୁଞ୍ଜ ରାୟଙ୍କ ଦେହାନ୍ତ ପରେ ମେଡିକାଲ କଲେଜକୁ ଶରୀର ଦାନ କଲେ ପରିବାର ଲୋକେ

ବାଲେଶ୍ୱର (କେନ୍ୟୁଜ୍‌) : ନିକୁଞ୍ଜ ବାସନ୍ତ ରାୟ। ସାରା ଜୀବନ ମେହେନତି ମଣିଷଙ୍କ ପାଇଁ ଲଢି ଲଢି ଶେଷରେ ଆଖି ବୁଜିଛନ୍ତି । ଗତକାଲି ବାଲେଶ୍ୱର ଠାରେ ତାଙ୍କର ଦେହାନ୍ତ ହୋଇଛି । ହେଲେ ନିକୁଞ୍ଜ ରାୟ ମୃତ୍ୟୁ ପରେ ବି ଏଇ ଦୁନିଆଁ ରେ ଜିଇ ରହିବେ । କାରଣ ତାଙ୍କ ପରିବାର ଲୋକେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସ୍ୱର୍ଗତ ନିକୁଞ୍ଜ ରାୟଙ୍କ ସମ୍ପୂର୍ଣ୍ଣ ଶରୀରକୁ ଦାନ କରି ଦେଇଛନ୍ତି । ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ଛାତ୍ର ଛାତ୍ରୀଙ୍କ ଶିକ୍ଷା ପାଇଁ ଶରୀର ଦାନ କରାଯାଇଛି ।

ହଠାତ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଭଦ୍ରକ ନିଜର ଜନ୍ମ ସ୍ଥାନ ହୋଇଥିଲେ ମଧ୍ୟ ଯେହେତୁ ସେ ସାରା ଜୀବନ ବାଲେଶ୍ଵରରେ କଟାଇଥିଲେ ତେଣୁ ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲକୁ ତାଙ୍କ ପରିବାର ଦାନ କରିଛନ୍ତି ତାଙ୍କ ମର ଶରୀରକୁ ।

କେବଳ ଶରୀର ନୁହଁ ଦୁଇ ଆଖିକୁ ମଧ୍ୟ ସେ ଅନ୍ୟ ପାଇଁ ଦାନ କରି ଦେଇଛନ୍ତି । ଏଭଳି ମହତ୍‌ ଉଦ୍ଦେଶ୍ୟ ପାଇଁ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି । ଅସହାୟଙ୍କ ପାଇଁ ଲଢ଼ୁଥିଲେ ନିକୁଞ୍ଜ ରାୟ । ଆଉ ସାରା ଅଞ୍ଚଳ ପାଇଁ ଉଦାହରଣ ହୋଇ ରହିଗଲେ ସବୁଦିନ ପାଇଁ।

ବାଲେଶ୍ଵର ମେଡିକାଲ କଲେଜ ହେବା ପରେ ଡାକ୍ତରୀ ଛାତ୍ର ଛାତ୍ରୀଙ୍କୁ ପଢ଼ାଇବା ପାଇଁ ଏକ ମୃତ ଶରୀରର ଆବଶ୍ୟକତା ଥିଲା । ପୂର୍ବରୁ ବିଭିନ୍ନ କଲେଜ୍ କିମ୍ବା କଟକରୁ ମଗାଯାଉଥିଲା । ହେଲେ ମୃତ ନିକୁଞ୍ଜ ବସନ୍ତ ରାୟଙ୍କ ପରିବାର ଏହି ମୃତଦେହକୁ ଦାନ କରି, ପ୍ରଥମ ଥର ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ଆନାଟୋମି ବିଭାଗକୁ ନୂଆ ପରିଚୟ ଦେଉଛନ୍ତି । ସ୍ବର୍ଗତ ବସନ୍ତ ରାୟଙ୍କ ସ୍ତ୍ରୀ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ପୁଅ ବି-ଟେକ ପାସ କରିଛନ୍ତି । ସଂଗ୍ରାମୀ ସ୍ବାମୀ ଜୀବନ ଯାକ ବାଲେଶ୍ଵରରେ ଲୋକଙ୍କ ସେବା କରିଥିବା ବେଳେ ତାଙ୍କ ପାର୍ଥିବ ଶରୀରକୁ ବାଲେଶ୍ଵର ମେଡିକାଲକୁ ଶିକ୍ଷା ପାଇଁ ଉତ୍ସର୍ଗୀକୃତ କରିଥିବା ସ୍ବର୍ଗତ ରାୟଙ୍କ ପତ୍ନୀ କହିଛନ୍ତି । ଏ ଜନ୍ମରେ ଆଉ ସ୍ବାମୀଙ୍କୁ ପାଇ ପାରିବି ନାହିଁ କିନ୍ତୁ ତାଙ୍କ ଶରୀର ଅନ୍ୟମାନଙ୍କ କାମରେ ଆସିଲେ ସେ ଆମର ହୋଇ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.