ଗଛ ତଳେ ଓ ବାରଣ୍ଡାରେ ଚାଲିଛି ପାଠପଢା, ବଲାଙ୍ଗିର ବରକାନୀ ୟୁ.ପି. ସ୍କୁଲର ଇଏ ହେଉଛି ଦୁରବସ୍ଥା

କଣ୍ଟାବାଞ୍ଜି : ଛାତ୍ର ଛାତ୍ରୀଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ଦେବାକୁ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଏହି ଯୋଜନା ଅପହଞ୍ଚ ହୋଇ ପଡିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବରକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ । ଶ୍ରେଣୀଗୃହ ଅଭାବରୁ ଗଛ ତଳେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ । ମାତ୍ର ୨ଟି କୋଠରୀ ଫଳରେ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ସ୍କୁଲ ପାଖ ଗଛ ତଳେ ଓ ବାରଣ୍ଡାରେ ପାଠ ପଢୁଛନ୍ତି ।
2ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଛି । ଏହି ୮ଟି କ୍ଲାସରେ ପଢନ୍ତି ପ୍ରାୟ ୧୧୮ ଜଣ ଛାତ୍ର ଛାତ୍ରୀ । ଗଛ ତଳେ ଓ ସ୍କୁଲ ବାରଣ୍ଡାରେ ପାଠ ପଢା ହେଉଛି । ବର୍ଷ ତମାମ ଏଭଳି କ୍ଲାସ ଚାଲିଥାଏ ବରକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗଛତଳେ ପାଠ ପଢୁ ଥିବାରୁ ବିଭିନ୍ନ ସମୟରେ ପବନ ହେଲେ ଗଛପତ୍ର ଝଡୁଛି, ଧୂଳି ସବୁ ଆଖିରେ ପଡିବା ସହ କେତେବେଳେ ସାପ ତ ଅନ୍ୟ କୌଣସି ସରୀସୃପର ସାମନା କରିବାକୁ ପଡୁଛି ।

3ସ୍କୁଲରେ କୋଠରୀ କମ ଥିବାରୁ ଛାତ୍ର ଛାତ୍ରୀମାନେ ଅନେକ ଅସୁବିଧାର ସାମନା କରୁଛନ୍ତି । କେବଳ ଛାତ୍ରଛାତ୍ରୀ ନୁହେଁ ସ୍କୁଲକୁ ଆସୁଥିବା ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ମଧ୍ୟ ରଖିବାକୁ ସ୍ଥାନ ନଥିବାରୁ ତାହା ଖରାପ ହେଉଛି । ସ୍କୁଲରେ କୋଠରୀ କମ ଥିବାରୁ ଦୀର୍ଘ ୮ବର୍ଷ ପୂର୍ବରୁ ଏକ ନୂତନ ଶ୍ରେଣୀ ଗୃହ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ତାହା ମଧ୍ୟ ଆଜି ଯାଏ ଶେଷ ହୋଇ ପାରୁନାହିଁ । ଦୀର୍ଘ ଦିନରୁ ଏହି ସ୍କୁଲରେ ଶ୍ରେଣୀଗୃହ ଅଭାବ ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

4

ଏ ନେଇ ଆମେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗକୁ ସେ ସ୍ୱୀକାର କରିବା ସହ ଅଧପନ୍ତରିଆ ହୋଇପଡିଥିବା ଅତିରିକ୍ତ ଶ୍ରେଣୀ ଗୃହକୁ ଯଥା ଶୀଘ୍ର ତିଆରି କରାଯିବ ବୋଲି କହିଛନ୍ତି । ଛାତ୍ର ଛାତ୍ରୀମାନେ ଗଛ ତଳେ କିପରି ଆଉ ବସି ପାଠ ନ ପଢିବେ ସେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

5

ଏଠି ପ୍ରଶ୍ନ ଉଠେ ଯେ କିଭଳି ଭାବେ ସ୍କୁଲଟି ଚାଲିଛି ସେ ସମ୍ପର୍କରେ ସ୍କୁଲର ଶିକ୍ଷକମାନେ କଣ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇ ନାହାନ୍ତି ? କଣ ଶିକ୍ଷା ଅଧିକାରୀଙ୍କ ନଜରକୁ ଆସୁନି ଏଭଳି ଛବି ?

Leave A Reply

Your email address will not be published.