ରାଜଧାନୀର ଏକ ଜୋତା ସୋ-ରୁମ୍ ଉପରକୁ ବୋମା ମାଡ଼: ୨ଟି ବାଇକ୍ରେ ୫ଜଣ ଦୁର୍ବୃତ୍ତ ଆସି ୧୫ମିନିଟ୍ ଖେଳାଇଲେ ଆତଙ୍କ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱର ଛାତି ଉପରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ । ସୋ-ରୁମ୍ ଉପରକୁ ବୋମା ପକାଇବା ସହ ଏହାର କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ଜୀବନରୁ ମାରିଦେବାକୁ ଧମକ ମିଳିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି ।
ଘଟଣା ବେଳେ ଭୟରେ ୧୫ ମିନିଟ୍ ଧରି ସୋରୁମ୍ ଭିତରେ ଲୁଚି ରହିଲେ କର୍ମଚାରୀ । ସୋ-ରୁମ୍ର ମାଲିକ ସିକିମ୍ ଯାଇଥିବାବେଳେ ଏହି ଘଟଣା ଘଟିଛି । ରାତି ପ୍ରାୟ ସାଢେ ୯ଟା ବେଳକୁ ୨ଟି ବାଇକ୍ରେ ୫ଜଣ ଦୁର୍ବୃତ୍ତ ଆସି ବୋମାମାଡ କରିଥିଲେ । ସୋ-ରୁମ୍ ବନ୍ଦ କରୁଥିବା ବେଳେ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ପଥର ଫିଙ୍ଗିଥିଲେ । ବୁଲେଟ୍ରେ ବସିଥିବା ଦୁଇ ଜଣଦୁର୍ବୃତ୍ତ ଏକ ସୁତୁଲି ବୋମା ଫିଙ୍ଗିବାରୁ ସୋରୁମ୍ରେ ଅନେକ କ୍ଷତି ହୋଇଛି ।
ବୋମା ଶବ୍ଦରେ ସେଠାରେ ଉପସ୍ଥିତ ଥିବା ଲୋକେ ଡରି ଯାଇ ଏଣେ ତେଣେ ଧାଇଁବାକୁ ଲାଗିଥିଲେ । ପରେ ସହିଦନଗର ଥାନା ପୋଲିସର ଏକ ଟିମ୍ ତନାଘନା କରିବା ସହ ବୋମାର ଟୁକୁଡା ସବୁ ଜବତ କରିଛି । କିଛି ଦିନ ତଳେ ଦୋକାନ ସାମ୍ନାରେ ଗ୍ରାହକଙ୍କୁ ହଇରାଣ କରୁଥିବାରୁ ସୋ-ରୁମ୍ ମାଲିକଙ୍କ ପୁଅ ଏବଂ କିଛି ଅସାମାଜିକ ଯୁବକଙ୍କର ବିବାଦ ହୋଇଥିଲା । ଏଡାକୁ ନେଇ ସଂପୃକ୍ତ ଯୁବକମାନେ ବୋମା ଫିଙ୍ଗିଥିବା ସନ୍ଦେହ କରାଯାଉଛି ।