ପ୍ରେମିକା ଘରକୁ ରାତି ଅଧିଆ ପଶି ଛେଚା ଖାଇ ଘାଇଲା ହେଲା ପ୍ରେମିକ

ଚାନ୍ଦବାଲି (କେନ୍ୟୁଜ) : ରାତି ଅଧିଆ ପ୍ରେମ ପଡିଲା ମହଙ୍ଗା। ପ୍ରେମିକା ଘରକୁ ଦେଖାକରିବାକୁ ଯାଇ ଧରାପଡିଗଲା ହତାସିଆ ପ୍ରେମିକ। ପରିବାର ଲୋକଙ୍କ ହାତରେ ଧରା ପଡି ରାତି ସାରା ନିର୍ଦ୍ଧୁମ ଖାଇଲା ଛେଚା। ଆଉ ସକାଳୁ ପୋଲିସ ହାତରେ ଗିରଫ ହେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ବାଂଶଡା ଥାନା ଯଶୀପୁର ପଞ୍ଚାୟତ ଶୁଭଦିଆ ଗାଁରେ। ସୂଚନା ଅନୁଯାୟୀ ଶୁଭଦିଆ ଗାଁର ଧନେଶ୍ଵର ନାୟକଙ୍କ ପୁଅ ଦେବାଶିଷ ନାୟକ ସେହି ଗାଁର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ।

ତେବେ ଯୁବକ ଜଣଙ୍କର ପ୍ରେମିକାଙ୍କ କଥା ଏତେ ମନେ ପଡିଲା ଯେ ରାତି ଅଧରେ ପ୍ରେମିକାଙ୍କ ଘରେ ପହଁଚିଗଲେ ପ୍ରେମିକ। ଆଉ ଦେଖାକରିବାକୁ ଆସି ପରିବାର ଲୋକଙ୍କ ହାତରେ ଧରାପଡିଗଲେ ଯୁବକ। ଯୁବକଙ୍କୁ ବାନ୍ଧି ଜୋତା ମାଳ ପିନ୍ଧାଇ ନିର୍ଦ୍ଧୁମ ଛେଚିଲେ ଘରଲୋକେ। ରାତି ତମାମ ଜୋତାମାଳ ପିନ୍ଧାଇ ସକାଳେ ଦାଣ୍ଡ ଆଗରେ ବାନ୍ଧି ରଖିଲେ।

ଯାହାର ଖବର ପାଇ ବାଂଶଡା ପୋଲିସ ଯୁବକକୁ ଉଦ୍ଧାର କରି ଥାନାକୁ ନେଇଗଲେ। ପୁଅ ବାହାଘର ପାଇଁ ଜିଦ୍‌ ଧରିବାରୁ ଯୁବତୀଙ୍କ ପରିବାର ଲୋକେ ବାହାଘର ପାଇଁ ରାଜି ହେଲେ କିନ୍ତୁ ପୁଅକୁ ଜୋତାମାଳ ପିନ୍ଧାଇ ମାଡ ମାରିବା ଘଟଣା ପରେ ଉକ୍ତ ଝିଅ ସହିତ ବାହାଘର କରିବେନାହିଁ ବୋଲି ରୋକାଠୋକ ମନା କରିଦେଲେ ପୁଅ ଘର ଲୋକ। ଅପମାନିତ ହୋଇ ପୁଅ ଘର ଲୋକେ ରାଜି ନ ହେବାରୁ ଝିଅର ପରିବାର ଲୋକେ ଝିଅକୁ ଯୁବକ ଜଣଙ୍କ ବଳାତ୍କାର କରିଥିବା ଥାନାରେ ଅଭିଯୋଗ କଲେ ଝିଅ ଘର ଲୋକ।

କିନ୍ତୁ ପୁଅକୁ ଫସାଇ ଏମିତି ବଦନାମ କରିବା ଅଭିଯୋଗ କରି ପୁଅ ଘର ଲୋକେ ବାଂଶଡା ଥାନାରେ ମଧ୍ୟ ଏତଲା ଦେଇଥିଲେ। ପୋଲିସ ଉଭୟ ଘଟଣା ଉପରେ ମାମଲା ରୁଜୁ କରିଛି। ତେବେ ବଳାତ୍କାର ଅଭିଯୋଗ ଆଧାରରେ ଡାକ୍ତରୀ ମାଇନା ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଅଭିଯୁକ୍ତ ଦେବାଶିଷ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଂଶଡା ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.