ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ, ପୋଲିସର ତନାଘନା

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ ଆମେ ବର୍ଣ୍ଣନା କରିପାରିବୁନୁ । କେତେ ଭୟଙ୍କର ହୋଇଥାଏ ଏହି ପ୍ରେମର କରୁଣ ପରିଣତି । ନିକଟରେ ଏହି ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ବିଷୟରେ ଆପଣ ଜାଣିଲେ ହତ୍‌ବାକ୍‌ ହୋଇ ରହିଯିବେ । ୩ ବର୍ଷ ହେବ ଉଭୟ ପରସ୍ପରକୁ ମନ ଦେଇଥିଲେ । ଖୁବ୍‌ ଭଲପାଉଥିଲେ ମଧ୍ୟ । ଆଉ ପ୍ରେମକୁ ବିବାହ ରୂପ ଦେବେ ବୋଲି ଦେଖିଥିଲେ ସୁନେଲି ସ୍ୱପ୍ନ । ବିବାହ କରି ସାତ ଜନ୍ମର ସାଥି ହେବେ ବୋଲି ପରସ୍ପରଙ୍କୁ କଥା ଦେଇଥିଲେ । ହେଲେ ହଠାତ୍‌ ସୃଷ୍ଟି େହୋଇଥିଲା ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ । ଦୁହିଁଙ୍କ ମଧ୍ୟରେ କଣ ହେଲା କେଜାଣି ପ୍ରେମ ସମ୍ପର୍କରେ ପଡ଼ିଥିଲା ଫାଟ । ଯେଉଁ ପ୍ରେମିକ ଦିନେ ପ୍ରେମିକାର ମୁହଁ ନଦେଖିଲେ ରହି ପାରୁନଥିଲା ସେହି ପ୍ରେମିକ ଆଜି ପ୍ରେମିକାର ଜୀବନ ନେବାକୁ ବି ପଛାଇଲାନି ।

ଦୁଇଜଣ ଯୁବକ ଯୁବତୀ ପରସ୍ପରକୁ ପ୍ରେମ କରୁଥିଲେ । କିନ୍ତୁ ହଠାତ୍‌ ଦୁହିଁଙ୍କ ମଧ୍ୟରେ କ’ଣ ହେଲା କେଜାଣି ପ୍ରେମିକ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଦେଲା । ଖାଲି ସେତିକି ନୁହେଁ ନିଜ ପ୍ରେମିକାକୁ ମାରିଥିବାର ଦୋଷ ସ୍ୱିକାର କରି ସିଧା ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା ପ୍ରେମିକ । ଏଭଳି ଚାଞ୍ଚଲ୍ୟକର ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ବାଙ୍କନାଳ ଗାଁ ନିକଟରେ ଦେଖିବାକୁ ମିଳିଛି ।

ଜଙ୍ଗଲରେ ପ୍ରେମିକାଙ୍କୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କରିଛି ପ୍ରେମିକ । ମୃତ ପ୍ରେମିକା ଜଣକ ବିଷମକଟକ ସଦର ଥାନାର ନିତୁ ନାଉରୀ ହୋଇଥିବା ବେଳେ ପ୍ରେମିକ ଜଣକ ହେଉଛନ୍ତି ଗୁଣୁପୁର ଥାନାର ମରାଠୀଗୁଡା ଗ୍ରାମର ମାନୁଆଲ ଶବର । ମୃତ ନିତୁ ନାଉରି ବିଷମକଟକ ବ୍ଲକର ମିଶନ ଶକ୍ତି ବିଭାଗରେ ସି, ଆର,ପି ରୂପେ କାର୍ଯ୍ୟରତ ଥିଲେ । ମାନୁଆଲ ଶବର ବିଷମକଟକରେ ରହି ଇଞ୍ଜିନିୟରିଂ ପଢ଼ୁଥିଲେ । ପ୍ରାୟ ୩ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଆଜି ସକାଳୁ ନିତୁ ଘରୁ ନିଜ କାମରେ ବାହାରି ଯାଇଥିଲେ । କିଛି ସମୟ ପରେ ଜଙ୍ଗଲରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ପୋଲିସ । ପରେ ନିତୁଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ପୋଲିସ ସାଇଣ୍ଟିଫିକ ଟିମ୍ କୁ ଖବର ଦେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ନିତୁଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ନିତୁଙ୍କ ପ୍ରେମିକଙ୍କୁ କଠୋରରୁ କଠୋର ଶାସ୍ତି ଦେବା ପାଇଁ ଦାବି କରିଛନ୍ତି । ତେବେ କେଉଁ କାରଣରୁ ପ୍ରେମିକ ଜଣକ ଏତେ ଭଲ ପାଉଥିବା ନିଜ ପ୍ରେମିକାଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।

Leave A Reply

Your email address will not be published.