ଗ୍ୟାଙ୍ଗଷ୍ଟର୍ ଅବୁ ସଲେମ୍ଙ୍କ ଜୀବନ ପ୍ରତି ବିପଦ ! ଅନ୍ୟ ଜେଲ୍କୁ ସ୍ଥାନାନ୍ତର ନ କରିବାକୁ କୋର୍ଟଙ୍କୁ ନିବେଦନ

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ଅବୁ ସଲେମ୍ । ବର୍ତ୍ତମାନ ସେ ଜେଲ୍ରେ ଅଛନ୍ତି । ସେ ମୁମ୍ବାଇ ସେସନ୍ସ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ତଲୋଜା ଜେଲରୁ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରା ନ ଯାଉ ।
ସଲେମଙ୍କ ଓକିଲ ଅଲିଶା ପାରେଖ କହିଛନ୍ତି, ସେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । କାରଣ, ତାଙ୍କୁ ଲାଗୁଛି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତଲୋଜା ଜେଲ୍ କହିଛି କି, ନିମ୍ନ ସେଲର ଅବସ୍ଥା ଭଲ ନାହିଁ ଏବଂ ଏହାକୁ ପୁନଃ ନିର୍ମାଣ କରାଯିବାର ଆବଶ୍ୟକ ରହିଛି । ତାଙ୍କ ପାଇଁ ଏହି ଜେଲ୍ରେ ଅନ୍ୟ କୌଣସି ସୁରକ୍ଷିତ ସ୍ଥାନ ନାହିଁ, ତେଣୁ ତାଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ । ବର୍ତ୍ତମାନ ଆମକୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳିଛି । ପୂର୍ବରୁ ମଧ୍ୟ ସଲେମ୍ଙ୍କ ଉପରେ ଦୁଇଥର ଆକ୍ରମଣ ହୋଇସାରିଛି ।
ଅବୁ ସଲେମଙ୍କୁ ତଲୋଜା ଜେଲରେ କଡ଼ା ସୁରକ୍ଷା ସେଲ୍ରେ ରଖାଯାଇଛି । ରିପୋର୍ଟ ମୁତାବକ, ଜେଲ କର୍ତ୍ତୃପକ୍ଷ ଏହି ସେଲର ମରାମତି କରିବାକୁ ଚାହୁଁଛନ୍ତି । ତେଣୁ ଏଠାକାର କଏଦୀମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ସେ ଚାହୁଁଛନ୍ତି । ସେପଟେ ସଲେମ୍ଙ୍କ କହିବା ହେଲା, ତଲୋଜା ଜେଲ ହିଁ କେବଳ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ । ଅନ୍ୟ ଜେଲରେ ଅନ୍ୟ ଗ୍ୟାଙ୍ଗର ଲୋକ ଅଛନ୍ତି, ସେମାନଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି ।
କହି ରଖୁଛୁ ଯେ ଅବୁ ସଲେମଙ୍କୁ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତାଙ୍କୁ ୨୦୦୫ରେ ପର୍ତ୍ତୁଗାଲରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ସଲେମଙ୍କୁ ୨୦୧୫ରେ ମୁମ୍ବାଇର ଜଣେ ବିଲ୍ଡର ପ୍ରଦୀପ ଜୈନଙ୍କ ହତ୍ୟା ଏବଂ ୨୦୧୭ରେ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ମିଳିଥିଲା ।