ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା ! ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ନେଇ ଥାନାରେ ଏତଲା

ବାଲେଶ୍ବର(କେନ୍ୟୁଜ): ଯୌତୁକ ପାଇଁ ନବବଧୂକୁ ହତ୍ୟା । ବାଲେଶ୍ବରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ହତ୍ୟା ଘଟଣରେ ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ପରିବାର ଲୋକେ ।

ଘଟଣା ଅନୁସାରେ ଗତ ୨୦୨୧ ଜୁନ୍‌ ୬ ତାରିଖରେ ସିଂଲା ଥାନା ଅନ୍ତର୍ଗତ ଗଙ୍ଗାଧର ବେହେରାଙ୍କ ତୃତୀୟ କନ୍ଯା ମିନାକ୍ଷୀଙ୍କ ସହ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଛଣପୁର ଗ୍ରାମର କାଶୀନାଥ ବେହେରାଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ଝିଅ ବିଦା ବେଳେ ମିନାକ୍ଷୀଙ୍କ ପରିବାର ବିବାହ ସାମଗ୍ରୀ ସହ ୧୫ ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦେଇଥିବାବେଳେ ଆହୁରି ୫ ଲକ୍ଷ ଦାବି କରିଥିଲେ ମୃତ ମିନାକ୍ଷୀଙ୍କ ଶାଶୁ ।

ବିଭିନ୍ନ ସମୟରେ ଯୌତୁକ ଦାବି କରି ଶାଶୁ ଓ ଦେଢ଼ଶୁର ତାଙ୍କୁ ଅକଥନୀୟ ଅତ୍ୟାଚାର କରୁଥିବା ବେଳେ ନାନା ମାର ଧର କରୁଥିବା ମଧ୍ୟ ବିଭିନ୍ନ ସମୟରେ ମିନାକ୍ଷୀ ଫୋନରେ ପରିବାରକୁ ଜଣାଇଥିଲେ । ତେବେ ଆଜି ଶେଷ ଥର ପାଇଁ ସକାଳେ ହଠାତ ଶ୍ଵଶୁର ଘରୁ ତାଙ୍କୁ ନେଇ ଯିବା ପାଇଁ ନିଜ ମାଉସୀଙ୍କୁ ଅନୁରୋଧ କରିଥିଲେ ମିନାକ୍ଷୀ । ଆଉ ଗୋଟାଏ ବେଳେ ସେ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ ପରିବାର ଲୋକ।

ହତ୍ୟା ପାଇଁ ପୁର୍ବ ପ୍ରସ୍ତୁତି ହୋଇଥିବା ବେଳେ ଘରର ସିସିଟିଭିକୁ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମିନାକ୍ଷୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରି ଶିଳ୍ପାଞ୍ଚଳ ଥାନାର ଦ୍ବାରସ୍ତ ହୋଇଛନ୍ତି । ଅନ୍ଯପଟେ ଘଟଣାସ୍ଥଳରୁ ଫେରାର ବେଳେ ଗାଁ ଲୋକେ ଦେଢ଼ଶୁରକୁ କାବୁ କରି ପୋଲିସ୍ ଜିମା ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍‌ ପହଁଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.