ଜଳେଶ୍ୱର: ଅଢେଇ କୋଟିର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଜଳେଶ୍ୱର(କେନ୍ଯୁଜ୍): ଅଢେଇ କୋଟିର ବ୍ରାଉନସୁଗର ଜବତ। ଜଳେଶ୍ୱର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ଧଳା ଜହର ଜବତ କରାଯାଇଛି। ଘଟଣାରେ ୩ ବେପାରୀଙ୍କୁ ଗିରଫ କରିଛି ପୋଲିସ।

ଜବତ ୨ କେଜି ୪୦୦ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ। ତେବେ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠାରୁ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଜାରି ରହିଛି।

ସୂଚନା ଥାଉକି, ନିକଟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଥିଲା । ଏହା ସହ ଏକ ଚୋରା ବନ୍ଧୁକ ଜବତ କରିଥିଲା ପୋଲିସ୍ । ଗିରଫ ଅଭିଯୁକ୍ତ ଥିଲା ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସାର୍ଥା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

ସେହିପରି ନିକଟରେ ଜଳେଶ୍ୱରରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିଲା । ଜଳେଶ୍ୱର ଥାନା ମହମ୍ମଦନଗର ପାଟଣା ରାସ୍ତାରୁ ୧୦୫ ଗ୍ରାମର ବ୍ରାଉନସୁଗର ଜବତ କରିଥିଲା ପୋଲିସ । ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ପୋଲିସ ଚଢାଉ କରିଥିଲା।ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍‌ ଜବତ କରାଯାଇଥିଲା। ଗିରଫ ଦୁଇଜଣ ଭୁବନେଶ୍ୱରର ବୋଲି ଜଣାପଡିଥିଲା ।

ତେବେ ପ୍ରାୟତଃ ସମୟର ଜଳେଶ୍ୱର ଅଞ୍ଚରୁ ବାରମ୍ବାର ବିପୁଳ ପରିମାଣର ଧଳା ଜହର ଜବତ କରାଯାଉଛି। ଅନେକ ବେପାରୀଙ୍କୁ ମଧ୍ଯ ଗିରଫ କରାଯାଉଛି । ରାଜ୍ଯ ତଥା ରାଜ୍ଯ ବାହାରେ ବର୍ତ୍ତମାନ ସମୟରେ ଏହି ଧଳା ଜହର ଚୋରା ବ୍ଯବସାୟ ଜୋରଦାର୍ ଚାଲିଛି। ଯେଉଁଥିରେ ବିଶେଷ କରି ଯୁବଗୋଷ୍ଠୀମାନେ ଫଶିଥିବାର ଜଣାପଡିଛି। ଏସବୁକୁ ରୋକିବାକୁ ପୋଲିସ୍ କଠୋର ନୀତି ଅବଲମ୍ବନ କରୁଛି ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ନିଜର କଳାକାରନାମା ଜାରି ରଖିଛନ୍ତି ଚୋରା ବେପାରୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.