ବାତ୍ୟା ପ୍ରଭାବିତ କଟକ ଓ ପୁରୀ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ : ପରଖିଲେ ସ୍ଥିତି, କ୍ଷତିଗ୍ରସ୍ତଙ୍କ ସହ କଲେ ଆଲୋଚନା

ଫନି ପ୍ରଭାବିତ ଜିଲ୍ଲାରେ ବାତ୍ୟା ପରର ସ୍ଥିତି ପରଖୁଛନ୍ତି କେନ୍ଦ୍ରୀୟ ଟିମ । ବିଭିନ୍ନ ସ୍ଥାନର କରୁଛନ୍ତି କ୍ଷୟକ୍ଷତି ଆକଳନ। ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ଟିମ୍‌ର ସଦସ୍ୟ। ଆଜି ସତ୍ୟବାଦୀ, ନିମାପଡ଼ା, କୋଣାର୍କ, ଗୋପ, ମେରାଇନ ଡ୍ରାଇଭ ସହ ପୁରୀର ପେଣ୍ଠକଟା ବସ୍ତି ସହ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଦେଖିବା ସହ ବିପନ୍ନଙ୍କ ଅବସ୍ଥା ପଚାରି ବୁଝିଥିଲେ । ରିଲିଫ କାର‌୍ୟ୍ୟର ତଦାରଖ ନେଇ ମଧ୍ୟ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଓ ପୁନରୁଦ୍ଧାର କାର‌୍ୟ୍ୟର ପ୍ରଶଂସା କରିଥିଲେ କେନ୍ଦ୍ରୀୟ ଟିମ ସଦସ୍ୟ।

ସେପଟେ କଟକ ଜିଲ୍ଲା କଣ୍ଟାପଡ଼ା ଓ ନିଆଳି ବ୍ଲକର ଫନି ପ୍ରଭାବିତ ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି ୫ଜଣିଆ କେନ୍ଦ୍ରୀୟ ଟିମ। କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ସଦସ୍ୟମାନେ କଣ୍ଟାପଡ଼ା ବ୍ଲକର ବାଇରୋଇ ଗାଁ ଓ ଅଡ଼ଶପୁର ପଞ୍ଚାୟତର ସଳେଇ ଗାଁ ବୁଲି ଦେଖିଛନ୍ତି। ଘର ଭଙ୍ଗା ନେଇ ଅନୁସନ୍ଧାନ କରିବା ସହ ରିଲିଫ ସାମଗ୍ରୀ ମିଳିବା ସଂପର୍କରେ ପଚାରି ବୁଝିଥିଲେ। ପରେ ନିଆଳି ବ୍ଲକର ଅଁଳୋ ପଞ୍ଚାୟତର କପିଳେଶ୍ୱର ସହ ମାଧବ ପଞ୍ଚାୟତ ଓ ରତନପୁର ପଞ୍ଚାୟତରେ କ୍ଷୟକ୍ଷତି ଆକଳନ କରିଛନ୍ତି।

ଫନିର ୧୧ଦିନ ପରେ ସ୍ୱାଭାବିକ ହେଉଛି ଜୀବନଜୀବିକା । ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି, ପାନୀୟ ଜଳ ଓ ମୋବାଇଲ ସେବା ଆଦିକୁ ସ୍ୱାଭାବିକ କରାଯାଉଛି। ବିପନ୍ନଙ୍କୁ ରିଲିଫ ସହ ପାଲ, ପଲିଥିନ ଆଦି ବଣ୍ଟନ କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଫନି କ୍ଷୟକ୍ଷତିର ଆକଳନ କରୁଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ପରଖିବେ ସ୍ଥିତି। ପରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.