ବିଜେଡି ସରକାର ଶାସନକୁ ଫେରିଲେ ପ୍ରଥମ ଦିନରେ ଚାଷୀଙ୍କୁ ମିଳିବ କି କାଳିଆ କିସ୍ତି ? ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରି ପାରିବେ ତ?

ବିଜୁ ଜନତା ଦଳର ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତି ପାଇଁ ଦଶ ହଜାର ଟଙ୍କା ମିଳିବ । ନିର୍ବାଚନ ସମୟରେ ରାଜ୍ୟର ଚାଷୀଭାଇଙ୍କୁ ଏ ପ୍ରତିଶ୍ରୁତି ଦେଇ ଆସୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏବେ ପରିସ୍ଥିତି ଭିନ୍ନ ରହିଛି। ବାତ୍ୟା ଫନି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଫନି ପରର ସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି, ଯଦି ପୁଣିଥରେ ବିଜେଡି ସରକାର କ୍ଷମତାକୁ ଫେରେ ତା’ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିପାରିବେ ତ। ପ୍ରଥମ ଦିନରେ ସବୁ ଚାଷୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଦେଇପାରିବେ ତ। ବିଜେଡି କହିଛି, ନବୀନ ପଟ୍ଟନାୟକ ଯାହା କହନ୍ତି, ତାହା କାମରେ କରି ଦେଖାନ୍ତି । ଆର୍ଥିକ ବୋଝ ପଡିପାରେ। ତଥାପି ପ୍ରତିଶ୍ରୁତି ପାଳନ ହେବ।

କାଳିଆ ଯୋଜନାରେ ଇତିମଧ୍ୟରେ ୪୦ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିର ଅର୍ଥ ଦିଆଯାଇଛି। କିନ୍ତୁ ଆହୁରି ପ୍ରାୟ ୨୫ ଲକ୍ଷ୍ୟ ଚାଷୀଙ୍କୁ ମିଳିପାରିନି କାଳିଆ ଟଙ୍କା । ସହାୟତା ନ ମିଳିବା ପଛରେ ବିଜେପିର ହାତ ଥିଲା ବୋଲି ବିଜେଡି ସୁପ୍ରିମୋ ଅଭିଯୋଗ କରିଥିଲେ। ଏବେ ଫଳାଫଳ ଆସିବା ପରେ ବିଜେଡି ଯଦି ସରକାର ଗଠନ କରେ ତାହା ହେଲେ ଚାଷୀ କାଳିଆ ଯୋଜନାରେ ଦୁଇଟି କିସ୍ତି ପାଇବେ କି ? ଫନି ମାଡ଼ରେ ରାଜ୍ୟରେ ଚାଷୀ ବେହଲା । ଏଭଳି ସ୍ଥିତିରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ କି ନାହିଁ ତାହାକୁ ଚାଷୀଙ୍କ ଅପେକ୍ଷା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.