ଅନନ୍ତ ବ୍ରତରେ ମହିଳା ଭକ୍ତଙ୍କୁ ଟାର୍ଗେଟ୍ କଲେ ଚେନ୍ ଲୁଟେରା

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଥିଲା ଅନନ୍ତ ବ୍ରତ । ତେଣୁ ଭୁବନେଶ୍ବର ଏକାମ୍ର କ୍ଷେତ୍ରରେ ବେଶ୍ ଭିଡ଼ ଲାଗିଥିଲା ଶ୍ରଦ୍ଧାଳୁଙ୍କର । ଅନନ୍ତ ବାସୁଦେବ ମନ୍ଦିରରେ ସବୁ ବର୍ଷ ଭଳି ମହିଳା ଓ ପୁରୁଷଙ୍କର ଲମ୍ବା ଧାଡ଼ି ଲାଗିଥିଲା । ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ହେଲେ ଏଭଳି ମଉକାକୁ ଟାକି ବସିଥାନ୍ତି କିଛି ଅସାମାଜିକ ଲୋକ । ଯେଉଁମାନେ ଟାର୍ଗେଟ୍ କରିଥିଲେ ମହିଳାଙ୍କ ସୁନା ଚେନକୁ । ଏମିତି ଏକ ଅଭିଯୋଗ ପହଞ୍ଚିଥିଲା ଲିଙ୍ଗରାଜ ଥାନାରେ । ମନ୍ଦିର ପରିସର ଭିତରୁ ସତ୍ୟ ମଞ୍ଜରୀ ମହାପାତ୍ରଙ୍କ ନାମ୍ନୀ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ କେହି ସୁନା ଚେନ୍ ଛିଣ୍ଡାଇ ନେଇଥିଲା । ସେ କାନ୍ଦି କାନ୍ଦି ପୋଲିସ୍ ଆଗରେ ନେହୁରା ହୋଇଥିଲେ । ଅଭିଯୋଗ କରିଥିଲେ । ତେବେ ପୋଲିସ୍ ଯେମିତି ନାଚାର ଥିଲା । କେବଳ ସତ୍ୟ ମଞ୍ଜରୀ ନୁହନ୍ତି ତାଙ୍କ ଭଳି ଅନ୍ୟ କିଛି ମହିଳା ମଧ୍ୟ ଚେନ୍ ଲୁଟେରାଙ୍କ ଶିକାର ହୋଇଥିଲେ ।

ANATA BASUDEBA TEMPLE

ଅନନ୍ତବାସୁଦେବ ମନ୍ଦିର ଆଗରେ ଓ ଭିତରେ ପ୍ରଭଳ ଭିଡ଼ ଲାଗିଥିଲା ବଡ଼ି ଭୋରୁ । ତେବେ ଭକ୍ତଙ୍କ ସଂଖ୍ୟା ଅନୁସାରେ ସୁରକ୍ଷା ପାଇଁ ମୁତୟନ ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ଥିଲା ଖୁବ୍ କମ୍ । ସେମାନେ କେବଳ ମନ୍ଦିର ଦ୍ବାରରେ ହିଁ ମୁତୟନ ଥିଲେ । ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିଲା । ଖାଲି ସେତିକି ନୁହେଁ, ଚର୍ଚ୍ଚା ହେଲା ଯେ ପୋଲିସ୍ ସୁରକ୍ଷା ଦେବା ବଦଳରେ କହୁଥିଲା ଏଭଳି ଜାଗାକୁ ଚେନ୍ ପିନ୍ଧି ଆସୁଛ କାହିଁକି ? କିଛି ଅଭିଯୋଗକାରିଣୀ କେନ୍ୟୁଜ୍ ଆଗରେ ଏଭଳି ଅଭିଯୋଗ କରିଛନ୍ତି । କେବଳ ସୁନା ଚେନ୍ ନୁହେଁ, କିଛି ଲୋକଙ୍କର ମୋବାଇଲ୍ ମଧ୍ୟ ଚୋରି ହୋଇଛି ।

ଭବିଷ୍ୟତରେ ଥାନା ଅଧିକାରୀ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରୁଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.