ଔଷଧ ଦୋକାନରେ ସଟର ବନ୍ଦ, ମେଡିସିନ୍ ପାଇଁ ଲୋକେ ହନ୍ତସନ୍ତ

ଭୁବନେଶ୍ବର (କେନ୍ୟୁଜ୍) :  ସବୁ ବେଳେ ଚଳଚଞ୍ଚଳ ରହୁଥିବା ଔଷଧ ଦୋକାନରେ ଆଜି ସଟର୍ ପଡ଼ିଥିଲା । ଦୋକାନରେ ବଡ଼ ବଡ଼ ତାଲା ଝୁଲୁଥିଲା । ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଆଜି ଦେଶବ୍ୟାପି ମେଡିସିନ୍ ଷ୍ଟୋର ସବୁ ବନ୍ଦ ରହିଛି । ସାରା ରାଜ୍ୟ ଭଳି ସବୁଠାରୁ ଅଧିକ ଔଷଧ ଦୋକାନ ଥିବା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବନ୍ଦ ପାଳନ କରିଥିଲେ ଔଷଧ ଦୋକାନୀମାନେ । ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ସମର୍ଥନ କରି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ବନ୍ଦରେ ସାମିଲ ହୋଇଛି । ରାଜଧାନୀର ପ୍ରମୁଖ ସ୍ଥାନ ରାଜମହଲରୁ ଆରମ୍ଭ କରି ୟୁନିଟ୍-୪ ମାର୍କେଟ ନିକଟ, ସହିଦ ନଗର, କ୍ୟାପିଟାଲ ହସପିଟାଲ ନିକଟରେ ଥିବା ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିଲା ।

ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରି ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି । ଏହା ବିରୋଧରେ ମହାସଂଘ ବନ୍ଦ ଡାକରା ଦେଇଛି । ବନ୍ଦରେ ଦେଶର ୧୦ ଲକ୍ଷ ଔଷଧ ବ୍ୟବସାୟୀ ସାମିଲ ହୋଇଛନ୍ତି । ସେମାନଙ୍କ ଭିତରେ ରାଜ୍ୟର ୨୨ ହଜାର ଔଷଧ ଦୋକାନୀ ଅଛନ୍ତି । ତେବେ ବନ୍ଦ ବେଳେ ରୋଗୀଙ୍କ ଯେଭଳି କୌଣସି ଅସୁବିଧା ନହୁଏ ଏଥିପାଇଁ ହସ୍ପିଟାଲ ପରିସରରେ ଥିବା ସମସ୍ତ ଔଷଧ ଦୋକାନ ଖୋଲା ରହିଥିଲା । ତେବେ ଏସବୁ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା । ଔଷଧ ପାଇଁ ଲୋକେ ହଇରାଣ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.