ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍, ବଢୁଛି ହୀରାକୁଦ ଜଳସ୍ତର

କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଛି ଛତିଶଗଡ଼ । ଏହାପରେ ମହାନଦୀରେ କ୍ରମାଗତ ଜଳସ୍ତର ବଢୁଛି । ଏବେ ହୀରାକୁଦର ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।

ସମ୍ବଲପୁର (କେନ୍ୟୁଜ): ଗେଟ୍‌ ଖୋଲିଲା ଛତିଶଗଡ଼ । ବଢ଼ାଇଲା ଓଡ଼ିଶାର ଟେନସନ୍‌ । ହୀରାକୁଦରେ ବଢୁଛି ଜଳସ୍ତର । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଛି ଛତିଶଗଡ଼ । ଏହାପରେ ମହାନଦୀରେ କ୍ରମାଗତ ଜଳସ୍ତର ବଢୁଛି । ଏବେ ହୀରାକୁଦର ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି ଦୁଇଟି ପର୍ଯ୍ୟାୟରେ ୧୦ଟି ଗେଟ୍‌ ଖୋଲିଥିଲା । ହୀରାକୁଦକୁ ପ୍ରବଳ ମାତ୍ରାରେ ପାଣି ପ୍ରବେଶ କରୁଛି ।

ଗତକାଲି ପାଖାପାଖି ୫ ଲକ୍ଷ୍ୟ କ୍ୟୁସେକ୍‌ ଯାଏ ପାଣି ପଶିଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦ ଫୁଟ୍‌ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୯୭ ହଜାର ୧୬ କ୍ୟୁସେକ୍‌ ବନ୍ୟା ପାଣି । ଏହି ସମୟରେ ୨ ଲକ୍ଷ ୨୨ହଜାର ୫୦୩ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି । ହୀରାକୁଦର ୧୨ଟି ଗେଟ୍‌ ଦେଇ ୧ ଲକ୍ଷ ୮୭ ହଜାର ୮୭୨ କ୍ୟୁସେକ୍‌ ବନ୍ୟା ପାଣି ମହାନଦୀକୁ ଛଡ଼ାଯାଉଛି । ଇନଫ୍ଲୋର ଟ୍ରେଣ୍ଡ ଖସିବା ଆରମ୍ଭ କରିଥିଲେ ବି ଛତିଶଗଡ଼ କଲମା ବ୍ୟାରେଜ ଗେଟ୍‌ ଖୋଲିଥିବାରୁ କେତେବେଳେ ବଢ଼ିବ କହି ହେବ ନାହିଁ ।

ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୧୨ ଫୁଟ୍‌ ଜାଗା ଖାଲି ରହିଛି । ତଥାପି ଉପରମୁଣ୍ଡରୁ ଏକକାଳୀନ ୫ ଲକ୍ଷ କ୍ୟୁସେକ୍‌ ପାଣି ଆସୁଥିବାରୁ ତାହା ମହାନଦୀକୁ ଫୁଲାଇଛି । ସ୍ଥିତି ଦେଖି ଆଗକୁ ହୀରାକୁଦରୁ ଅଧିକ ଗେଟ୍‌ ଖୋଲାଯିବ କି ନାହିଁ ନିଷ୍ପତ୍ତି ହୋଇପାରେ । ତଳମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରିବା ବେଳକୁ ଉପରମୁଣ୍ଡରେ ବନ୍ୟା ଭୟ ଘାରିଲାଣି । ଚଳିତ ବନ୍ୟାରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଖସିବାରେ ଲାଗିଛି । ବନ୍ୟାରେ ମୋଟ୍‌ ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.