ଭୁବନେଶ୍ୱର ବାସିନ୍ଦାଙ୍କୁ ଉତ୍କଳ ଦିବସ ଭେଟି, ମେଟ୍ରୋ ରେଳ ପ୍ରୋଜେକ୍ଟକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେଉଁ କେଉଁ ରୁଟ୍ ଦେଇ ମେଟ୍ରୋ ଟ୍ରେନ ଚଳାଚଳ କରିବ ସେ ସମ୍ପର୍କରେ ସର୍ଭେ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଭଳି ଦିଗକୁ ଦୃଷ୍ଟି ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ସର୍ଭେ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟି । ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରୋଜେକ୍ଟକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଆଜି ଭୋର ସମୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସର୍ଭେ କରିଥିଲେ ମୁଖ୍ୟ ସଚିବ ପ୍ରଦୀପ ଜେନା ଓ 5T ସଚିବ ଭିକେ ପାଣ୍ଡିଆନ । କେଉଁ କେଉଁ ରୁଟ୍ ଦେଇ ମେଟ୍ରୋ ଟ୍ରେନ ଚଳାଚଳ କରିବ ସେ ସମ୍ପର୍କରେ ସର୍ଭେ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଭଳି ଦିଗକୁ ଦୃଷ୍ଟି ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ସର୍ଭେ ହୋଇଛି।
ବିମାନବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବବିହାର, ପଟିଆ, ନନ୍ଦନକାନନ ଓ ତ୍ରିଶୂଳିଆରେ ସର୍ଭେ କରାଯାଇଛି । ଆଜି ଭୋରରୁ ମୁଖ୍ୟ ସଚିବ ପ୍ରଦୀପ ଜେନା, 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢୀ, ଗୃହ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହି ସର୍ଭେ କରିଥିଲେ । ଦେଶରେ ପ୍ରଥମେ କୋଲକାତାରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା । ଏବେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ ଓ ବେଙ୍ଗାଳୁରୁରେ ଏହି ସେବା ଚାଲିଛି ।