ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ବିଜୟ ପ୍ରସାଦଙ୍କୁ ତିନି ଦିନିଆ ରିମାଣ୍ଡରେ ନେବ ଇଓଡବ୍ଲୁ

କଟକ (କେ ନିଉଜ) : ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣାରୁ ଗିରଫ ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ତଥା ୱାଏସଆର କଂଗ୍ରେସ ନେତା ବିଜୟ ପ୍ରସାଦ ମାଲାଙ୍କୁ ତିନି ଦିନିଆ ରିମାଣ୍ଡରେ ନେବ ଇଓଡବ୍ଲୁ। କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଇଓଡବ୍ଲୁକୁ ଏହି ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପଟରେ ବିଜୟ ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିବା ବେଳେ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ଅଦାଲତ। ୧୫ ତାରିଖ ଅପରାହ୍ନ ୪ ଟାରୁ ୧୮ ତାରିଖ ୧୦ ଟା ପର୍ଯ୍ୟନ୍ତ ଇଓଡବ୍ଲୁ ରିମାଣ୍ଡରେ ରହିବେ ବିଜୟ ପ୍ରସାଦ।

ଇଓଡବ୍ଲୁ ଅପ ଟୁ ଡେଟ ଷ୍ଟାଟସ ରିପୋର୍ଟ ଦେବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ଇଓଡବ୍ଲୁ ତାହା ଦାଖଲ କରିବା ପରେ ଜାମିନ ଆବେଦନ ଓ ରିମାଣ୍ଡ ଆବେଦନ ଉଭୟ ପିଟିସନର ଶୁଣାଣି କରିଥିଲେ ଓପିଆଇଡି କୋର୍ଟ। ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ତଥା ୱାଏସଆର କଂଗ୍ରେସ ନେତା ବିଜୟ ପ୍ରସାଦ। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗତ ୬ ତାରିଖରେ ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ବିଜୟ ପ୍ରସାଦ ମାଲାଙ୍କୁ ବିଶାଖାପାଟଣାରୁ ଗିରଫ କରିଥିଲା। ଅଧିକ ପଚରାଉଚୁରା ପାଇଁ ରିମାଣ୍ଡରେ ନେବ ଇଓଡବ୍ଲୁ। କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ଗତ ୭ ତାରିଖରେ ହାଜର ହେବା ପରେ ଚୌଦ୍ୱାର ଜେଲକୁ ଯାଇଥିଲେ ବିଜୟ। ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ବିଜୟ ପ୍ରସାଦ ମାଲ୍ଲା ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ରେ ଠକେଇ କରିଥିବାର ଅଭିଯୋଗ ରହିଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ପଶ୍ଚିମ ଜୋନ ୱ|ଇଏସଆର କଂଗ୍ରେସ ଦଳର ପୂର୍ବତନ ବିଧାନସଭା ପ୍ରାର୍ଥୀ ଏମ. ବିଜୟ ପ୍ରସାଦ ୨୦୧୯ ମସିହାରେ ଓଡିଶା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିଲେ। ୨୦୧୯ ମସିହାରେ ତାଙ୍କ କମ୍ପାନୀ ୱେଲଫେର ଗ୍ରୁପ ଆଫ କମ୍ପାନୀ ନାମରେ ୧୨୦୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲା ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯାଇଥିଲା।

ତେବେ ଏହି ଦୁର୍ନୀତିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ବିଶାଖାପାଟଣା ଯାଇ ବିଶାଖାପାଟଣା ପୋଲିସ ସହାୟତାରେ ବିଜୟ ପ୍ରସାଦଙ୍କ ଘର ଓ କାର୍ଯ୍ୟାଳୟରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତାଙ୍କ ଘରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଇଓଡବ୍ଲ୍ୟୁ। ବିଜୟ ପ୍ରସାଦଙ୍କ ୱେଲଫେର ଗ୍ରୁପ ଆଫ କମ୍ପାନୀ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହି କମ୍ପାନୀ ସାରା ଭାରତରେ ବ୍ୟବସାୟ କରିଥିଲା କିନ୍ତୁ ଏହି କମ୍ପାନୀରେ ଜମାକାରୀଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ସବୁଠାରୁ ଅଧିକ ଥିଲା କିନ୍ତୁ ଗତ କିଛି ବର୍ଷ ପୂର୍ବେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା ନୂତନ କମ୍ପାନୀ ୱେଲଫେର ବିଲଡିଂ ଆଣ୍ଡ ଇଷ୍ଟେଟ ନାମରେ ନୂତନ କମ୍ପାନୀ କରି ସେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଏଥି ପୂର୍ବରୁ ଅନ୍ୟ ୫ ଟି ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ଓ କାର୍ଯ୍ୟାଳୟ ଯାଞ୍ଚ କରିଥିବା ବେଳେ ସେ ମାମଲା ମଧ୍ୟ ବିଚାରଧୀନ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.