୪ର୍ଥ ପର୍ଯ୍ୟାୟରେ ହିଞ୍ଜିଳି ଓ ଶେରଗଡ଼ର ୧୦ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ୪ର୍ଥ ପର୍ଯ୍ୟାୟରେ 5T ଆନୁକୂଲ୍ୟରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ଼ର ୧୦ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ। ପ୍ରଥମେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାପୀଠର ସ୍ମାର୍ଟକ୍ଲାସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ଥିଲେ। ପୂର୍ବାହ୍ନରେ ୨ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ ପ୍ରଥମେ ପୌରାଞ୍ଚଳ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଓ ପଞ୍ଚାୟତରେ ହୋଇଥିବା ସରକାରୀ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। 5T ଆନୁକୂଲ୍ୟରେ ରୂପାନ୍ତରିତ ହାଇସ୍କୁଲ ଯାଇ ସେଠାକାର ନୂତନ ଭିତ୍ତିଭୂମି ବୁଲି ଦେଖି ଅନୁଭୂତି ବଖାଣିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –

(୧) ପଞ୍ଚାୟତ ହାଇସ୍କୁଲ, ଦୁରବନ୍ଧ ପଞ୍ଚାୟତ
(୨) ସରକାରୀ ହାଇସ୍କୁଲ, ସେରଗଡ ପଞ୍ଚାୟତ
(୩) ବୃନ୍ଦାବନ ସରକାରୀ ହାଇସ୍କୁଲ, ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲଟି
(୪) ରାମଚନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୫) ୟୁ.ଏନ୍‌. ହାଇସ୍କୁଲ, ସିକ୍ରୀ ପଞ୍ଚାୟତ
(୬) ବି. ବ୍ରହ୍ମପୁର ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(୭) ସରକାରୀ ୟୁ.ଜି. ହାଇସ୍କୁଲ, ବିକେପୁର, ପୁଟିଆପଦର ପଞ୍ଚାୟତ
(୮) ନରେନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୯) ସରକାରୀ ୟୁ.ଜି. ହାଇସ୍କୁଲ, ନନ୍ଦିକା ପଞ୍ଚାୟତ
(୧୦) ପିତ୍ତଳ ବାଳକ ହାଇସ୍କୁଲ, ପିତ୍ତଳ ପଞ୍ଚାୟତ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ। । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ ।ଞାନର ଯୁଗ ।ବର୍ତ୍ତମାନ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ ।

ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନ, ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ଓ ଓଡିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢିତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ । ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ । ପିଲା ମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର ।

୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀଶ୍ରୀ ଜଗନ୍ନାଥ ସାରକା ,ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.