ଲୋକାର୍ପିତ ହେଲା ରାଜ୍ୟର ସର୍ବବୃହତ ଓମଫେଡ୍‌ ଡାଏରୀ ପ୍ଲାଣ୍ଟ, ଉପକୃତ ହେବେ ପ୍ରାୟ ୬ଲକ୍ଷ ଦୁଗ୍ଧ ଚାଷୀ

କଟକ(କେନ୍ଯୁଜ୍): ଲୋକାର୍ପିତ ହେଲା ରାଜ୍ୟର ସର୍ବବୃହତ ଓମଫେଡ୍‌ ଡାଏରୀ ପ୍ଲାଣ୍ଟ। କଟକ ବାରଙ୍ଗ ବ୍ଲକ ଅରିଲୋଠାରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୬୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ସଂପୂର୍ଣ୍ଣ ଅଟୋମେଟିକ ଡାଏରୀ ପ୍ଲାଣ୍ଟ। ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ଓମଫେଡକୁ ମୋଟ ୫୧ଏକର ଜମି ଯୋଗାଇ ଦେଇଥିବା ସୂଚନା ମିଳିଛି। ଏଠାରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇପାରିବ ।

ଖାଲି ସେତିକି ନୁହେଁ , ଏହାଛଡା ଦିନକୁ ୨ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇପାରିବ। ଏଥିସହ ବିଭିନ୍ନ ପ୍ରକାର ଦୁଗ୍ଧଜାତ ଉତ୍ପାଦ ଯଥା ଘିଅ, ଦହି , ଲସି ଓ ପନିର ଭଳି ସାମଗ୍ରୀ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି। ଯାହା ଉଭୟ ଗ୍ରାହକ ଓ ଚାଷୀଙ୍କ ପାଇଁ ଖୁସି ଖବର। ଏହାଦ୍ୱାରା ରାଜ୍ୟର ପ୍ରାୟ ୬ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ। ବନ୍ୟା, ବାତ୍ୟା ସମୟରେ ମଧ୍ୟ ଆଉ ଦୁଗ୍ଧ ବ୍ୟବସାୟୀଙ୍କୁ ହଇରାଣ ହେବାକୁ ପଡିବନି କିମ୍ବା କ୍ଷୀର ବିକିବା ପାଇଁ ଅସୁବିଧା ହେବନି। ଆଗକୁ ଏହି ପ୍ଲାଣ୍ଟର କ୍ଷମତା ୧୦ଲକ୍ଷ ଲିଟରକୁ ବଢାଯିବା ସହ ଏଠାରେ ଏକ ଟ୍ରେନିଂ ସେଣ୍ଟର ଓ ରିସର୍ଚ୍ଚ ଭଳି କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି।

cm

ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ପରିଦର୍ଶକ ଏହି ଅତ୍ୟାଧୁନିକ ଡାଏରୀ ପ୍ଲାଣ୍ଟ ପରିଦର୍ଶନ କରି ଜ୍ଞାନ ଆହରଣ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ଦଶକରେ ରାଜ୍ୟରେ ଗୋ-ପାଳନର ବିକାଶ ଚାଷୀ ମାନଙ୍କ ଆୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାର ଏହି ଆନୁସଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି। ଗତ ୨ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.