Below header

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

କେନ୍ୟୁଜ୍(ବ୍ୟୁରୋ):  ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି।
ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା।ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଶୋକ

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ବିଶିଷ୍ଟ ବାଗ୍ମୀ, ଲେଖକ ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ରଜତ କୁମାର କରଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ଵର୍ଗତକର ନିଜର ଅନନ୍ୟ ବାଗ୍ମୀତା ,ପାଣ୍ଡିତ୍ୟ ଓ ସୃଜନ କୃତି ପାଇଁ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୋକ

ସେହିପରି ପଚାଂୟତିରାଜ,ପାନୀୟଜଳ , ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା  କହିଛନ୍ତି   ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶିକ୍ଷାବିତ ପଦ୍ମଶ୍ରୀ ରଜତ କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ଯୁଗର ଅବସାନ ଘଟାଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍,ନାଟ୍ୟକାର,ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଓ ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଅକଳ୍ପନୀୟ।ସାହିତ୍ୟ କ୍ଷେତ୍ରରେ ନିଜର ଅନନ୍ୟ ସାଧନା ପାଇଁ ସେ ଓଡ଼ିଆ ପାଠକଙ୍କ ନିକଟରେ ଯଶସ୍ୱୀ ହୋଇପାରିଥିଲେ।

ଟିଭି ଓ ରେଡ଼ିଓରେ ରଥଯାତ୍ରାର ଭାଷ୍ୟକାର ଭାବେ ଓଡ଼ିଆ ଜନମାନସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ତାଙ୍କର କାଳଜୟୀ ସାହିତ୍ୟ ରଚନା ଚିର ସ୍ମରଣୀୟ ହୋଇ ରହିବ । ଲୋକନାଟ୍ୟ ‘ପାଲା’କୁ ଜୀବନ୍ତ ରଖିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ତାଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଶୋକ

ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି  ପଦ୍ମଶ୍ରୀ, ବିଶିଷ୍ଟ ସାହିତ୍ୟକ, ଗବେଷକ ତଥା ବାଗ୍ନୀ ରଜତ କୁମାର କରଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଟ ଗବେଷକ ତଥା ବ୍ୟାଖ୍ୟାକାର ଭାବେ ସାହିତ୍ୟିକ ମହଲରେ ଓ ଓଡ଼ିଶାର ପୁର ପଲ୍ଲୀରେ ବେସ ପରିଚିତ ଥିଲେ l

ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଏବଂ ଭାଷ୍ୟକାର ଭାବରେ ସେ ଖୁବ ପ୍ରସିଦ୍ଧି ଅର୍ଜନ କରିଥିଲେ l ଶିକ୍ଷା, ସଂକୃତି ଓ ସାହିତ୍ୟ ପାଇଁ ତାଙ୍କର ଅବଦାନ ଯୋଗୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ l ରଥଯାତ୍ରା ସମୟରେ ଘୋଷକ ଭାବରେ ତାଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ l ଶ୍ରୀ କରଙ୍କ ବିୟୋଗରେ ଆମେ ଜଣେ ବିଶିଷ୍ଟ ବାଗ୍ନୀ, ଭାଷ୍ୟକାର ଓ ଭଞ୍ଜ ଗବେଷକଙ୍କୁ ସବୁଦିନ ପାଇଁ ହରାଇବସିଲୁ l ସାହିତ୍ୟ ଓ ସଂସ୍କୃତିକୁ ତାଙ୍କର ବହୁମୁଖୀ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ l ଏହି ଦୁଃଖଦ ମୁହୁର୍ତରେ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.