Below header

ସିଏନ୍‌ଜି ଅଟୋ କରି ଆମେ ବଡ଼ ଦହଗଞ୍ଜ ହେଉଛୁ, ଗ୍ୟାସ ପାଇଁ ଲମ୍ବା ଲାଇନ୍‌ ଲଗାଇ ଏମିତି କହିଲେ ଅଟୋ ଡ୍ରାଇଭର

ଭୁବନେଶ୍ୱର : ରାସ୍ତାରେ ଗଡ଼ିବ ସିଏନଜି ଗାଡ଼ି ପେଟ୍ରୋଲ ଡିଜେଲ ଠାରୁ କମ୍ ଦାମରେ ମିଳିବ ସିଏନଜି ଗ୍ଯାସ୍ । ଏସବୁ ଆମେ ନୁହେଁ ଖୋଦ୍ ସରକାର କହିଥିଲେ। ହେଲେ ସିଏନଜି ଭରିବା ପାଇଁ ପର୍ଯ୍ୟାପ୍ତ ଷ୍ଟେସନ୍ ନାହିଁ। ଯେଉଁଥିପାଇଁ ସୋମବାର ସକାଳ ୯ଟାରେ ରାଜଧାନୀ ଭୁବନେଶ୍ୱର ନୂଆଗାଁ ଲିଙ୍ଗରାଜ ପେଟ୍ରୋଲ ପମ୍ପରେ ସବୁଜ ରଙ୍ଗର ଅଟୋମାନଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଗାଡ଼ିରେ ସିଏନଜି ଭରିବା ପାଇଁ ଖରାରେ ଘଣ୍ଟା ଘଣ୍ଟା ଧରି ଅଟୋ ଚାଳକଙ୍କ ସହ ଯାତ୍ରୀମାନେ ମଧ୍ୟ ଅପେକ୍ଷା କରିଥିଲେ। ହେଲେ ଲାଇନ୍ ସରୁନି।
ଅଟୋଗୁଡ଼ିକର ଏହି ଲମ୍ବା ଧାଡ଼ି ରାଜଧାନୀରେ କିଛି ଘଣ୍ଟା ପାଇଁ ରାଜନୈତିକ ରାଲିର ଭ୍ରମ ସୃଷ୍ଟି କରିଥିଲା। ସିଏନଜି ଗାଡ଼ିର ବ୍ଯବହାର ବଢ଼ିବା ଫଳରେ ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନ ଉପରେ ଚାପ କମିବ ବୋଲି ସରକାର ଯୋଜନା କରିଥଲେ। ସେଥିପାଇଁ ୨୦୧୭ ଡିସେମ୍ବର ମାସରେ ପ୍ରଥମ ଥର ପାଇଁ ଓଡ଼ିଶାର ଭୁବନେଶ୍ୱରଠାରେ ଦୁଇଟି ସିଏନଜି ଷ୍ଟେସନ୍ ଉଦଘାଟିତ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଣି ୧୧ଟି ସିଏନଜି ଷ୍ଟେସନ୍ ସେତେବେଳର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ହେଲେ ଏସବୁ ଭିତରୁ ମାତ୍ର ନୂଆଗାଁ ପେଟ୍ରୋଲ୍ ପମ୍ପ ଓ ବରମୁଣ୍ଡା ପେଟ୍ରୋଲ ପମ୍ପ କାର୍ଯ୍ଯକ୍ଷମ ହେଉଛି। ଯେଉଁଥିପାଇଁ ଏହି ୨ଟି ଷ୍ଟେସନରେ ସହରର ଅଟୋମାନଙ୍କର ପ୍ରବଳ ଭିଡ଼ ଲାଗି ରହୁଛି।

ସୋମବାର ସକାଳୁ ସକାଳୁ ଭୁବନେଶ୍ୱର ନୂଆଗାଁ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ର ଦେଖିବାକୁ ମିଳିଥିଲା। ପାଖାପାଖି ୫୦ରୁ ୬୦ଟି ଅଟୋ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ଯନ୍ତ ଲମ୍ବା ଲାଇନ୍ କରି ଠିଆ ହୋଇ ରହିଥିଲେ। ରାସ୍ତାରେ ଯାଉଥିବା ଲୋକେ ସମସ୍ତେ ଏହି ଲମ୍ବା ଲାଇନକୁ ଆଶ୍ଚର୍ଯ୍ୟରେ ଅନାଇ ଅନାଇ ଯାଉଥାନ୍ତି। ସେମାନଙ୍କ ମନରେ ପ୍ରଶ୍ନ ଉଠୁଥାଏ କଣ ହେଲାକି ଏ ଅଟୋ ସବୁର ?

ଅନ୍ଯପଟେ ଲୋକେ ଅଫିସ୍ ଯିବା ହେଉ କି କୌଣସି ରୋଗୀ ମେଡିକାଲରେ ପହଞ୍ଚିବା ପାଇଁ ହେଉ, ଏମିତି ଲାଇନରେ ପ୍ରାୟ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିଛନ୍ତି। ଫଳରେ ୧୦ ମିନିଟର ରାସ୍ତା ପାଇଁ ଲୋକେ ୨ରୁ ୩ ଘଣ୍ଟା ପର୍ଯ୍ଯନ୍ତ ଖରାରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଏତେ ବିଳମ୍ବ ଦେଖି ଅଟୋରେ ଥିବା ଯାତ୍ରୀ ଶେଷରେ ବିରକ୍ତ ହୋଇ ସେହିଠାରୁ ଅନ୍ଯ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିଥିଲା । ଫଳରେ ଅଟୋ ଡ୍ରାଇଭର ନିଜର ସଠିକ୍ ଭଡ଼ା ନପାଇ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। … କଣ ଏକଥା ସରକାରଙ୍କ କାନରେ ପଡୁଛି ନା ନାହିଁ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.