ସେନା ଚାକିରି ଆଶାୟୀଙ୍କ ଦୌରାତ୍ମ୍ୟ, ଆଗକୁ ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ନକରିବାକୁ ଚିଠି ଲେଖିଲା କମିସନରେଟ ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍): ଆଗକୁ ଭୁବନେଶ୍ୱରରେ ଆର୍ମି ଇଣ୍ଟରଭ୍ୟୁ ନକରିବାକୁ ଚିଠି ଲେଖିଲା କମିସନରେଟ ପୋଲିସ । ୧୨୦ ବାଟାଲିଅନରେ ବିହାର ରେଜିମେଣ୍ଟ ପାଇଁ ଇଣ୍ଟରଭ୍ୟୁ ବେଳେ ବହୁ ବିଶୃଙ୍ଖଳା ଦେଖାଦେଇଛି । ଏହି ପ୍ରସଙ୍ଗରେ ୧୨୦ ବାଟାଲିଅନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ପୋଲିସ କମିସନର କହିଛନ୍ତି ଭୁବନେଶ୍ୱରରେ ଆର୍ମି ଇଣ୍ଟରଭ୍ୟୁରେ ୮୪ଟି ପଦବୀ ପାଇଁ ୪୦ ହଜାର ପରୀକ୍ଷାର୍ଥୀ ଆସିଥିଲେ। ବିହାର ଓ ଉତ୍ତରପ୍ରଦେଶରୁ ଆସିଥିବା ବହୁ ପରୀକ୍ଷାର୍ଥୀ ବିଫଳ ହେବା ପରେ ଉତ୍ପାତ କରିବା ସହ ରେଳଷ୍ଟେସନରେ ଗଣ୍ଡଗୋଳ କରିଛନ୍ତି । ତେଣୁ ଆଗକୁ ଏଭଳି ପରୀକ୍ଷା ନକରିବାକୁ ୧୨୦ ବାଟାଲିଅନ କର୍ତ୍ତୃପକ୍ଷଙ୍କ ସହ କଥା ହେବା ସହ ଲିିଖିତ ଆକାରରେ ଜଣାଇଛନ୍ତି ପୋଲିସ କମିସନର।

ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଚିଠି ଲେଖି କେନ୍ଦ୍ରକୁ ଅବଗତ କରାଇବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଗତକାଲି ଆଇଜି ପାର୍କରେ ଯୁବତୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ୩ ଜଣ ପରୀକ୍ଷାର୍ଥୀ ଗିରଫ ହୋଇଥିଲେ। ପରେ ରାତିରେ ପୁରୁଷୋତ୍ତମ ଏକ୍ସପ୍ରେସରେ ବିଶୃଙ୍ଖଳା କରିବା ପରେ ପୋଲିସ ଓ ଆରପିଏଫକୁ ସେମାନଙ୍କ ଉପରେ ଲାଠି ମାଡ଼ କରିବାକୁ ପଡ଼ିଥିଲା। ସେପେଟ ଭୁବନେଶ୍ୱର ଷ୍ଟେସନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । RPF ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆର୍ମି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ପରୀକ୍ଷାର୍ଥୀ ମାନେ କେବଳ ଜେନେରାଲ ବଗିରେ ଯାଇପାରିବେ ବୋଲି RPF ପକ୍ଷରୁ ସୂଚନା ଦିଆଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.