ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ସହ ରତ୍ନଭଣ୍ଡାର ଖୋଲିବା ଦାବି
ପୁରୀରେ କଂଗ୍ରେସର ବିଶାଳ ସମାବେଶ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ତୁରନ୍ତ ଖୋଲିବା ,ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ସହ ପ୍ରଜାଙ୍କ ନାଁରେ ରେକର୍ଡ ଦାବିରେ ରଣହୁଙ୍କାର ଦିଆଯାଇଛି।
ପୁରୀ : ପୁରୀରେ କଂଗ୍ରେସର ବିଶାଳ ସମାବେଶ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ତୁରନ୍ତ ଖୋଲିବା ,ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ସହ ପ୍ରଜାଙ୍କ ନାଁରେ ରେକର୍ଡ ଦାବିରେ ରଣହୁଙ୍କାର ଦିଆଯାଇଛି।
ଶରଧାବାଲିଠାରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବିଧାୟକ ,ପୂର୍ବତନ ବିଧାୟକ ,ଯୁବ ,ଛାତ୍ର ,ମହିଳା କଂଗ୍ରେସ ଓ ସେବାଦଳର କର୍ମୀ ମାନେ ଏକଜୁଟ ହୋଇଥିଲେ। ସଭା ପରେ କଂଗ୍ରେସର ଶୋଭାଯାତ୍ରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା।
ତେବେ ମରିଚିକୋଟ ଛକରେ ପୋଲିସ ବ୍ୟାରିକେଡ଼ କରି ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ ନେତା ଓ କର୍ମୀ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଧସେଇ ପଶି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦେଇଛନ୍ତି ।
ମହାଧର୍ମିକ କାର୍ତ୍ତିକ ମାସ ଆସୁଥିବାରୁ ପୁରୀରେ ହବିଷ୍ୟାଳିଙ୍କ ସହ ଭକ୍ତଙ୍କ ଅସମ୍ଭବ ଭିଡ ହେବ। ଏହା ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ କଂଗ୍ରେସ ଦଳ ଦାବି କରିଛି। ଯାତ୍ରୀ ପରିକ୍ରମା ମାର୍ଗ ସରିବା ପୂର୍ବରୁ ଏହି ଚାରି ଦ୍ଵାର ଖୋଲାଯାଇ ବ୍ୟବସ୍ଥା କରାଯାଉ । ସେହିପରି ସାଢେ଼ ଚାରି କରି ଓଡିଆଙ୍କ ଆସ୍ଥା ଓ ବିଶ୍ଵାସର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଓ ଗଣତି କରିବାକୁ ଦାବି ହୋଇଛି।