କିମ୍ସ କୋଭିଡ ହସପିଟାଲରେ କରୋନ ଆକ୍ରାନ୍ତ ମହିଳାଙ୍କ ଠାରୁ ଜନ୍ମ ନେଲା ଶିଶୁପୁତ୍ର, ବିପଦପୂର୍ଣ୍ଣ ସ୍ଥିତିରେ ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର

କେନ୍ୟୁଜ୍ (ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର କିମ୍‌ସ କୋଭିଡ ହସପିଟାଲରେ ଡାକ୍ତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କରୋନା ସଂକ୍ରମିତ ପ୍ରସୂତିଙ୍କ ସନ୍ତାନ ପ୍ରସବ ସଫଳତାର ସହ କରାଇ ପାରିଛନ୍ତି। ନିକଟରେ କରୋନା ହସପିଟାଲରେ ଚିକିତ୍ସିତ କେତେକ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି। ଏବେ କିମ୍‌ସ କୋଭିଡ ହସପିଟାଲର ଡାକ୍ତର ଜଣେ କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରସବ କରାଇବାରେ ସଫଳ ହୋଇଛନ୍ତି। ମେ ୩୦ତାରିଖରେ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ଜଣାପଡ଼ିବା ପରେ କିମ୍‌ସ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ।

ଜୁନ ୨୧ତାରିଖରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତରମାନେ ସମୟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ନମୁନା ନେଗେଟିଭ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍‌ସ ଡାକ୍ତରମାନେ ଯୋଜନା କରିଥିଲେ। ତେବେ ଏହା ପୂର୍ବରୁ ମହିଳାଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ସେଥିପାଇଁ କିମ୍‌ସ କୋଭିଡ ହସପିଟାଲରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଜୁନ ୧ତାରିଖରେ ମହିଳାଙ୍କ ପ୍ରସବ କରାଇବା ପାଇଁ କିମ୍‌ସ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ତାଙ୍କର ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିଲା।

ଏବେ ସେ କରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲେ ମଧ୍ୟ ଏଥିରେ ଡାକ୍ତରମାନେ ସଫଳ ହୋଇଛନ୍ତି। ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଏହି ସଫଳତା ପାଇଁ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିମସ୍‌ କୋଭିଡ-୧୯ ହସପିଟାଲ, କିମ୍‌ସ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.