Below header

ଭିଡିଓ କଲିଂରେ ବିବାହ କଲେ ବର-କନ୍ୟା, ଦୂରତା ଆଣି ପାରିଲାନି ବାଧା

ଝାରସୁଗୁଡ଼ା(କେନ୍ୟୁଜ୍‌) :  ଯେଉଁଠି ମନ ମିଶିଯାଏ ଦୂରତା ସେଠି ଛୋଟ ପଡ଼ିଯାଏ । କୈାଣସି ବାଧା ବନ୍ଧନ ତାକୁ ଅଟକାଇ ପାରେନା । ଏବେ କରୋନା କାଳରେ ସବୁଠି ଲକ୍‌ଡାଉନ୍‌ । ଜୀବନ ପ୍ରବାହରେ ପଡ଼ିଯାଇଛି ତାଲା । ହେଲେ କରୋନା କିନ୍ତୁ ବନ୍ଦ କରିପାରିନି ବର କନ୍ୟାଙ୍କର ମିଳନକୁ । ଦୂରରେ ଥାଇ ମଧ୍ୟ ସେମାନେ ଏକ ହୋଇଯାଇଛନ୍ତି ମୋବାଇଲ ଯୋଗେ ।

କରୋନା କଟକଣା ଯୋଗୁଁ କନ୍ୟା ଘରକୁ ବରଯାତ୍ରୀ ନେଇ ବାହାଘର ସମ୍ଭବ ହେଲାନାହିଁ। ତେଣୁ ବର ଓ କନ୍ୟା ଭିଡିଓ କଲିଂରେ ବିବାହ ବନ୍ଧନରେ ଅବଦ୍ଧ ହୋଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ଝାରସୁଗୁଡାର ମଙ୍ଗଳବଜାର ନିବାସୀ ବର ମେହେନ୍ଦି ରେଜା(୩୪) ଓ ନାଗପୁରର କନ୍ୟା ତେହେରାନ ବାନୋ(୨୮) ଜୁଲାଇ ୨୨ ତାରିଖ ଦିନ ପରିବାରବର୍ଗଙ୍କ ସହମତି କ୍ରମେ ଭିଡିଓ କଲିଂରେ ବିବାହ କରିଛନ୍ତି ।

ଏନେଇ ମେହେନ୍ଦି କହିଛନ୍ତି ତାଙ୍କ ବାହାଘର ମାର୍ଚ୍ଚରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଲକଡାଉନ କାରଣରୁ ଏହାକୁ ସେମାନେ ଘୁଞ୍ଚାଇ ଦେଇଥିଲେ । ହେଲେ ଲକଡାଉନ ହଟିବାପରେ ସେମାନେ ଜୁଲାଇ ୨୨ରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ସେଠାକୁ ଯିବା ପାଇଁ ସମ୍ପର୍କୀୟମାନେ ଭୟ କରିଥିଲେ ।

ଅନ୍ୟପଟେ ମହାରାଷ୍ଟ୍ରରୁ ଝାରସୁଗୁଡା ଆସିଲେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବାର ନିର୍ଦ୍ଦେଶ ରହିଛି । ତେଣୁ ଉଭୟ ବରଘର ଓ କନ୍ୟା ପକ୍ଷ ଏକତ୍ର ହୋଇ ନପାରିବାରୁ ହ୍ୱାଟ୍ସଆପ ଭିଡିଓ କଲରେ ବାହା ହେବାପାଇଁ ନିଷ୍ପତ୍ତି ନେଇଥିଲେ ।

ତାଙ୍କ ଧର୍ମ ଏଥିପାଇଁ ଅନୁମତି ଦେବାସହ ପରିବାରବର୍ଗଙ୍କ ସହମତି ମିଳିବାରୁ ବାହାଘର ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଏନେଇ ତେହେରନ କହିଛନ୍ତି ଭିଡିଓ କଲରେ ବିବାହର ଶପଥ ନେବା କଥା ସେ କେବେ ଭାବି ନଥିଲେ । ମେହେନ୍ଦିଙ୍କୁ ବାହା ହୋଇ ସେ ବହୁତ ଖୁସି ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.