ଓଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଜମି ହଡ଼ପ ଅଭିଯୋଗର ତନାଘନା,୮ ଅଭିଯୋଗକାରୀଙ୍କୁ ପଚରାଉଚରା

ଖୋର୍ଦ୍ଧା(କେନ୍ୟୁଜ୍): ସାରୁଅରେ କ୍ରାଇମବ୍ରାଞ୍ଚ ଟିମ୍‌ । ଓଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଜମି ହଡ଼ପ ଅଭିଯୋଗର ତନାଘନା ତଦନ୍ତ । ଗ୍ରାଉଣ୍ଡରେ ତିନି ଜଣିଆ ତଦନ୍ତକାରୀ ଟିମ୍‌ ଖୋଳତାଡ କରିଛନ୍ତି । ସାରୁଅ ମଲ୍ଲିକ ସାହିରେ ପହିଞ୍ଚିଥିଲେ । ୮ ଅଭିଯୋଗକାରୀଙ୍କୁ ପଚରାଉଚରା କରାଯାଇଛି । ଯାଞ୍ଚ କରିଥିଲା କାଗଜପତ୍ର । ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କହିଛି କ୍ରାଇମବ୍ରାଞ୍ଚ । ବେଗୁନିଆ ତହସିଲ୍‌ ସାରୁଅରେ ଓଡ଼ିଶା ଇନଫ୍ରାଟେକ ବେନାମୀ ଜମି କାରବାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜସ୍ୱ ବିଭାଗ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ସୁପାରିଶ କରିଥିଲା ।

ଖୋର୍ଦ୍ଧା ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଦେଇଥିବା ତଦନ୍ତ ରିପୋର୍ଟରେ ସାମନାକୁ ଆସିଥିଲା ସାରୁଅରେ ଜମି ଦୁର୍ନୀତି ଅଭିଯୋଗର ସାଂଘାତିକ ତଥ୍ୟ । ରିପୋର୍ଟରେ ଉଲ୍ଲେଖ ରହିଥିଲା, ବେଗୁନିଆ ତହସିଲରେ ଥିବା ଅନୁସୂଚିତ ଜାତିର ଲୋକଙ୍କ ରୟତି ଜମି ବେନାମୀ କାରବାର ମାଧ୍ୟମରେ ଓଡ଼ିଶା ଇନଫ୍ରାଟେକକୁ ବିକ୍ରି କରାଯାଇଛି । ଅରଟେଲ କଂପାନୀର ଜଣେ ପୂର୍ବତନ ଡ୍ରାଇଭର ରବୀନ୍ଦ୍ର କୁମାର ସେଠୀଙ୍କ ମାଧ୍ୟମରେ ହୋଇଛି ଏହି କାରବାର । ସେ ୭ ଏକରରୁ ଅଧିକ ଜମି କିଣିଥିବା ରେକର୍ଡରୁ ଜଣାପଡ଼ିଛି । ଏଥିସହ ୨.୫୯ ଏକର ଓ ୨.୩୯୭ ଏକରର ଦୁଇଟି ଜମିକୁ ସେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡକୁ ବିକ୍ରୀ କରିଥିଲେ । ୨.୫୯ ଏକର ଜମି ବିକ୍ରୀ ବାବଦରେ ୨୫ ଲକ୍ଷ ୨୬ହଜାର ୨୫୦ ଟଙ୍କା ଓ ୨.୩୯୭ ଏକର ଜମି ବିକ୍ରୀ ପାଇଁ ୨୧ ଲକ୍ଷ ୫୩ ହଜାର ୬ଶହ ଟଙ୍କା ନେଇଥିଲେ ରବୀନ୍ଦ୍ର ।

କିନ୍ତୁ ରବୀନ୍ଦ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଇଥିବା ପିଟିସନରେ ସେ ଜମି ବିକ୍ରି ବାବଦାରେ କ୍ୟାସ, ଚେକ୍‌ କିମ୍ବା ଆକାଉଣ୍ଟରେ ଟଙ୍କା ନେଇ ନଥିବା ଉଲ୍ଲେଖ କରିଥିଲେ । ଏଥିରୁ ଜଣା ପଡ଼ିଥିଲା ଯେ, ଜାଲିଆତି କରି ଅନୁସୂଚିତ ଜାତିର ଲୋକଙ୍କୁ ଜମିରୁ ବେଦଖଲ କରାଯାଇଛି । ବେନାମୀ ଟ୍ରାଞ୍ଜେକ୍ସନ ଯୋଗୁ ସେମାନେ ଶୋଷଣର ଶିକାର ହୋଇଛନ୍ତି । ଓଡ଼ିଶା ଭୂସଂସ୍କାର ଆଇନ-OLR Act ଉଲ୍ଲଂଘନ ଓ ଫୌଜଦାରୀ ଷଡଯନ୍ତ୍ର ହୋଇ ଜାଲିଆତି କରାଯାଇଥିବା ଜଣାପଡ଼ିଛି । ଏସବୁ ଅଭିଯୋଗର ସତ୍ୟତା ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.