ବଡ଼ ଧରଣର ସାଇବର ଠକେଇ: ହନିଟ୍ରାପର ଶିକାର ହେଲେ ବ୍ୟକ୍ତି, ୨୦ ଲକ୍ଷରୁ ଅଧିକ ଠକିନେଲେ ବିଦେଶୀ ଯୁବତୀ

ଫେସବୁକ୍‌ରୁ ବନ୍ଧୁତା ପରେ ସାଇବର ଲୁଟ୍‌ର ଶିକାର ହେଲେ କଟକର ଜଣେ ବରିଷ୍ଠ ନାଗରିକ । ୨୦ ଲକ୍ଷ ୬୧ ହଜାର ୧୦୦ ଟଙ୍କା ଲୁଟିନେଲେ ବିଦେଶୀ ଯୁବତୀ ।

କଟକ (କେନ୍ୟୁଜ): ହନିଟ୍ରାପରୁ ସର୍ବସ୍ୱାନ୍ତ । ଫେସବୁକ୍‌ରୁ ବନ୍ଧୁତା ପରେ ସାଇବର ଲୁଟ୍‌ର ଶିକାର ହେଲେ କଟକର ଜଣେ ବରିଷ୍ଠ ନାଗରିକ । ଏନେଇ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ । ବରିଷ୍ଠ ନାଗରିକଙ୍କ ଠାରୁ ୨୦ ଲକ୍ଷ ୬୧ ହଜାର ୧୦୦ ଟଙ୍କା ଲୁଟିନେଲେ ସାଇବର ଠକ । କଟକର ଅବସରପ୍ରାପ୍ତ ବରିଷ୍ଠ ସରକାରୀ ଅଧିକାରୀ ୨୦୧୮ରୁ ଲିଓନା ଜିମି ନାମକ ଜଣେ ବ୍ରିଟେନ ମହିଳାଙ୍କ ଆକାଉଣ୍ଟ ସହ ଯୋଗାଯୋଗରେ ଆସିଥିଲେ । ପରେ କ୍ରମାଗତ ଭାବେ ତାଙ୍କ ସହ ଚାଟିଂ କରୁଥିଲେ । ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥିଲା ।

ଏହାରି ଭିତରେ ମହିଳା ଜଣକ ଭାରତ ଆସିବା ସହ କଷ୍ଟମର ଚେକିଂରେ ନିଜ ସହ ଆଣିଥିବା ୪୦ ହଜାର ପାଉଣ୍ଡ ଫସିଯାଇଥିବା କହିଥିଲେ । ଏମିତିକି ୪୦ ହଜାର ପାଉଣ୍ଡକୁ ରିଲିଜ୍‌ କରାଗଲେ ସେଥିରୁ ଅଧା ଟଙ୍କା ଉକ୍ତ ବରିଷ୍ଠ ନାଗରିକଙ୍କୁ ଦେବା ପାଇଁ ଲୋଭ ଦେଖାଇଥିଲେ । ପ୍ରଲୋଭନ ଦେଖାଇ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଯୋଗାଯୋଗ କରି ପର୍ଯ୍ୟାୟ କ୍ରମେ ଲୁଟି ଚାଲିଥିଲେ । ପାଖାପାଖି ୩୪ଟି ବିଭିନ୍ନ ଆକାଉଣ୍ଟରେ ଟଙ୍କା ପଠାଯାଇଥିବା ଜଣାପଡ଼ିଛି ।

ଅଭିଯୋଗ ପରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତ ଏଡିସିପି ଅନିଲ କୁମାର ମିଶ୍ର । ଅଧିକ ଖୋଳତାଡ଼ ପାଇଁ ରାଜ୍ୟ ବାହାରକୁ ଯାଇପାରେ ସାଇବର ଥାନା ପୋଲିସ । କେଉଁ କେଉଁ ରାଜ୍ୟର ଆକାଉଣ୍ଟ ଅନୁଧ୍ୟାନ କରୁଛି ପୋଲିସ । ବରିଷ୍ଠ ନାଗରିକମାନେ ଏଭଳି ସୋସିଆଲ ମିଡିଆ ଆଇଡି ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.