ବାତ୍ୟା ବେଳେ କେମିତି ରହିବେ ସତର୍କ, କଣ ରହିଥାଏ ଜରୁରୀ ଆବଶ୍ୟକତା ? ଜାଣନ୍ତୁ

ଭୁବନେଶ୍ବର (କେନ୍ୟୁଜ୍) : ଝଡ଼ବାତ୍ୟା ନାଁ ଶୁଣିଲେ ଯେକୌଣସି ଲୋକ ଛାନିଆ ହେବା ସ୍ବାଭାବିକ । ସେ ୧୯୯୯ର ମହାବାତ୍ୟା ହେଉ କିମ୍ବା ହୁଡହୁଡ୍ କି ଫାଇଲିନ୍, ଯିଏ ଏସବୁ ବାତ୍ୟାକୁ ଭୋଗିଛି ସେ କେବେବି ଚାହିଁବନି ଆଉଥରେ ଏଭଳି ପରିସ୍ଥିତିର ସାମନା କରନ୍ତୁ ବୋଲି । ତେବେ ଏଭଳି ପରିସ୍ଥତି ପାଇଁ ସରକାର ସଜାଗ ଥିବା କଥା କହୁଛନ୍ତି । ହେଲେ ସଜାଗ ରହିବା ତ ଆମର କର୍ତ୍ତବ୍ୟ ଓ ଦାୟିତ୍ବ । ତେଣୁ ସାଧାରଣ ଭାବେ କିଛି କଥା ପ୍ରତି ଆସନ୍ତୁ ଆମେ ନଜର ଦେବା ।

କଣ କରିବେ

୧- ସବୁ ବେଳେ ଅପଡେଟ୍ ପାଣିପାଗ ଖବର ଉପରେ ନଜର ରଖନ୍ତୁ । ବ୍ୟାଟେରୀ ଥିବା ରେଡିଓ ପାଖଷର ରଖନ୍ତୁ ।

୨-ପାଖରେ ଅତ୍ୟାବଶ୍ୟକ ଜିନିଷପତ୍ର ରଖନ୍ତୁ । ଦାନ୍ତଘସା ବ୍ରସରୁ ଆରମ୍ଭ କରି ଟର୍ଚ୍ଚ ଲାଇଟ୍ ଓ ପାନୀୟ ଜଳର ବ୍ୟବସ୍ଥା କରି ରଖନ୍ତୁ । ଯଦି ସୁବିଧା ଥାଏ ତେବେ ଟାଙ୍କିରେ ଆଗରୁ ଗାଧୋଇବା ପାଇଁ ପାଣି ଭର୍ତ୍ତି କରି ଦିଅନ୍ତୁ । କାରଣ ବିଦ୍ୟୁତ ସଂଯୋଗ କଟିଲେ ଆପଣଙ୍କ ପାଇଁ ପାଣିର ସମସ୍ୟା ହୋଇପାରେ ।

୩- ପବନ ଓ ପ୍ରବଳ ବର୍ଷା ହେବା ମାତ୍ରେ ନିଜ ଘରର ବିଦ୍ୟୁତ ସଂଯୋଗକୁ କାଟି ଦିଅନ୍ତୁ । ଟେଲିଭିଜନ, ଫ୍ରିଜ୍ ଆଦି ଜିନିଷ ପତ୍ରର ସଂଯୋଗ କାଢ଼ି ଦିଅନ୍ତୁ । ସେହିପରି ଗ୍ୟାସ ଓ ପାଣି ସଂଯୋଗକୁ ମଧ୍ୟ ବନ୍ଦ କରି ରଖନ୍ତୁ ।

୪-ପିଲାମାନଙ୍କ ସହ ସାରା ପରିବାରକୁ ନିଜର ସବୁଠାରୁ ସୁରକ୍ଷିତ କୋଠରୀରେ ନେଇ ରଖନ୍ତୁ ।

୫-ପାଖରେ ଶୁଖିଲା ଖାଦ୍ୟ ଅଧିକ ପରିମାଣରେ ରଖନ୍ତୁ ।

୬-ଅତ୍ୟାବଶ୍ୟକ ଔଷଧ ଏବଂ ଘରେ ରୋଗୀ ଥିଲେ ସେମାନଙ୍କ ପାଇଁ ଜରୁରୀ ଥିବା ମେଡିସିନକୁ ପାଖଷର ସାଇତି ରଖନ୍ତୁ ।

୭-ନିଜ ଘରର ଯାନବାହନଗୁଡ଼ିକୁ ଘୋଡ଼ାଇ ସୁରକ୍ଷିତ ଜାଗାରେ ରଖନ୍ତୁ ।

୮-ଘରର ଝରକା କାଚରେ ହୋଇଥିଲେ ତାକୁ ପୂର୍ବରୁ ସୁରକ୍ଷା ଦିଅନ୍ତୁ । କବାଟ, ଝରକା ଭଲ ଭାବେ ବନ୍ଦ କରିଦିଅନ୍ତୁ । ଯେମିତି ପବନରେ ଏସବୁ ବାଡ଼େଇ ନହୁଏ ।

୯-ଘରେ ଗୃହପାଳିତ ପଶୁ କିମ୍ବା ପକ୍ଷୀ ଥିଲେ ସେମାନଙ୍କୁ ସୁରକ୍ଷିତ ଜାଗାରେ ଆଣି ରଖିବା ସହ ସେମାନଙ୍କ ପାଇଁ ଖାଦ୍ୟ ମହଜୁଦ ରଖନ୍ତୁ ।

୧୦-ଯଦି ବାତ୍ୟା କାରଣରୁ ଘର ଭୁଶୁଡ଼ିବା ଆରମ୍ଭ କରେ ତେବେ ଘରେ ଥିବା ଟେବୁଲ ଓ ବେଞ୍ଚ ଆଦି ତଳେ ଆଶ୍ରୟ ନିଅନ୍ତୁ । ଆବଶ୍ୟକ ସ୍ଥଳେ ତୁରନ୍ତ ବାହାରକୁ ବାହାରିଯିବା ଭଳ ଦ୍ବାର ପାଖରେ ରୁହନ୍ତୁ ।

୧୧-ବାତ୍ୟା ସମୟରେ ପଡ଼ୋଶୀ ଓ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ।

୧୨-ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ନଡରାଇ ସାହସ ଦିଅନ୍ତୁ ।

 

Leave A Reply

Your email address will not be published.