ବାଂଲାଦେଶର ବରିସାଲ୍‌ ନିକଟରେ ଲାଣ୍ଡଫଲ୍‌ କଲା ବାତ୍ୟା ସି-ତ୍ରାଙ୍ଗ: ଅନେକ ସ୍ଥାନରେ ଉପୁଡ଼ିଲା ଗଛ, ୯ ଜଣଙ୍କ ମୃତ୍ୟୁ

କେନ୍ୟୁଜ୍: ଲାଣ୍ଡଫଲ୍‌ କଲା ବାତ୍ୟା ସି-ତ୍ରାଙ୍ଗ । ଗତକାଲି ରାତିରେ ବାଂଲାଦେଶର ବରିସାଲ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ବାଂଲାଦେଶ ଉପକୂଳର ବରିସାଲ ନିକଟ ତିନ୍‌କୋଣା ଓ ସାନ୍‌ଦ୍ୱୀପ୍‌ ମଧ୍ୟରେ ଲାଣ୍ଡଫଲ୍‌ କରିଛି ବାତ୍ୟା । ଏହାପରେ ଦୁର୍ବଳ ପଡ଼ି ଡିପ୍‌ ଡିପ୍ରେସନ୍‌ ହୋଇଛି ସାମୁଦ୍ରିକ ଝଡ଼ । ଆସନ୍ତା ୩ ଘଣ୍ଟାରେ ଡିପ୍ରେସନ୍‌ ଓ ପରବର୍ତ୍ତୀ ୬ ଘଣ୍ଟାରେ ହେବ ୱେଲ୍‌ ମାର୍କଡ ଲୋ ପ୍ରେସର । ଏବେ ବାଂଲାଦେଶର ଢାକାଠାରୁ ୯୦ କିଲୋମିଟର ଉତ୍ତର-ପୂର୍ବ ଓ ଅଗରତାଲାଠାରୁ ୬୦ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଅଛି ଗଭୀରତ ଅବପାତ ।

ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ବର୍ଷା ଓ ପବନ ହୋଇଥିଲା । ପଶ୍ଚିମ କେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନ ବେଗ ଘଣ୍ଟାପ୍ରତି ଥିଲା ଶହେ କିଲୋମିଟର ଥିଲା । ବାଂଲାଦେଶର ୬ଟି ଜିଲ୍ଲାରେ ପ୍ରଭାବ ଦେଖାଇଛି ବାତ୍ୟା ସି-ତ୍ରାଙ୍ଗ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଘଣ୍ଟାପ୍ରତି ୮୮ କିଲୋମିଟର ବେଗରେ ପବନ ବହିଥିଲା । ସମୁଦ୍ରରେ ଉଠିଥିଲା ୫ରୁ ୮ ଫୁଟର ଜୁଆର । ବାଂଲାଦେଶର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଉପୁଡ଼ି ପଡ଼ିଛି ଗଛ । ବର୍ତ୍ତମାନ ସୁଦ୍ଧା ବାତ୍ୟାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ବହୁ ଘର ଭାଙ୍ଗିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛି ବାତ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.