ଡିପ୍‌ ଡିପ୍ରେସନର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ, କିଛି ସମୟ ମଧ୍ୟରେ ନେବ ବାତ୍ୟା ରୂପ

କେନ୍ୟୁଜ୍(ବ୍ୟୁରୋ): ଡିପ୍‌ ଡିପ୍ରେସନର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । କିଛି ସମୟ ମଧ୍ୟରେ ନେଇପାରେ ବାତ୍ୟା ରୂପ । ଆଜି ରାତିରେ ଅଧିକ ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏବେ ଏହା ୪ କିଲୋମିଟର ବେଗରେ ଗତି କରୁଛି । ପାରାଦୀପ ଠାରୁ ୫୪୦ କିଲୋମିଟର ଓ ବାଲେଶ୍ୱର ଠାରୁ ୬୫୦ କିଲୋମିଟର ଦୂରେ ରହିଛି ।

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି । ଏହା ଅତି ତୀବ୍ର ବାତ୍ୟା ଭାବେ ୨୬ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ଲାଣ୍ଡଫଲ୍‌ ବେଳେ ପ୍ରବଳ ବେଗରେ ବହିବ ପବନ । ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୮୫ ବି ଛୁଇଁପାରେ । ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ବହିବ ପବନ । ୨୫ରୁ ବର୍ଷା ଓ ପବନ ବଢ଼ିବ । ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୬ ତାରିଖରେ ୧୨ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୨୪ରୁ ୨୬ ତାରିଖ ଅଶାନ୍ତ ରହିବ ସମୁଦ୍ର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.