ପରଲୋକରେ ଆଶା-ଆଶ୍ବାସନାର ପ୍ରତିଷ୍ଠାତା ତଥା ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ, କରୋନା ଆକ୍ରାନ୍ତ ହୋଇ SCBରେ ଚାଲିଥିଲା ଚିକିତ୍ସା

କଟକ(କେନ୍ୟୁଜ୍): ପରଲୋକରେ ଆଶା-ଆଶ୍ବାସନାର ପ୍ରତିଷ୍ଠାତା ତଥା ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ।  କଟକ SCBରେ ଶେଷ ନିଶ୍ୱାସ ତ୍ୟାଗକଲେ ଡି.ପ୍ରକାଶ ରାଓ । ଗତ ଡିସେମ୍ବର ୨୫ରେ କରୋନା ଆକ୍ରାନ୍ତ ହୋଇ ଏସସିବି  କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ୪.୧୫ ମିନିଟରେ  ତାଙ୍କର ଦେହାନ୍ତ ନେଇ SCB ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା  ସୂଚନା ଦେଇଛନ୍ତି।

ଡି.ପ୍ରକାଶ ପାଖାପାଖି ୧୦୦ ଥର ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଥିଲେ  ଏହା ସହିତ ନିଜେ ଚା ବିକି ଆଶା-ଆଶ୍ବାସନା ନାମରେ  କଟକରେ ଏକ ଛୋଟ ସ୍କୁଲ କରିଥିଲେ । ଯେଉଁଥିରେ ବସ୍ତିର ଶତାଧିକ ପିଲାଙ୍କୁ ପାଠ ପଢାଇବା ସହ ଖାଇବା ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। ପ୍ରକାଶଙ୍କ ମାହାନ କାମ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ପ୍ରଶଂସା କରିଥିଲେ।

ଡି. ପ୍ରକାଶ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ଵିଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଉଲ୍ଲେଖନୀୟ କାମ ସମସ୍ତଙ୍କୁ ଅନୁପ୍ରାଣିତ କରିବ । କଟକ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଭେଟିଥିବାର ଫଟୋ ସେୟାର କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।  ସେହିପରି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଉତ୍ସର୍ଗୀକୃତ ସମାଜସେବା, ଗରିବ ଓ ଅବହେଳିତଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ରହିବେ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ପ୍ରକାଶ ରାଓଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ନିଜର ସେବା ପାଇଁ ସେ ସମସ୍ତଙ୍କ ହୃଦୟରେ ମନେ ରହିବେ ବୋଲି ରାଜ୍ୟପାଳ କହିଛନ୍ତି।