Below header

ରାୟଗଡ଼ା ଡଙ୍ଗରିଆଙ୍କ ପାଇଁ ‘ମିଶନ୍‌ କପଡ଼ା ଗୁନ୍ଦା’ : ପାରମ୍ପରିକ ସାଲ୍‌ର ପୁନରୁଦ୍ଧାର ପ୍ରୟାସ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ା ଜିଲ୍ଲାର ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧ । ରାଜ୍ୟ ସରକାର ଏବେ ରାଜ୍ୟରେ ଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟର ବିକାଶ ପାଇଁ କରିଛନ୍ତି ସ୍ୱତନ୍ତ୍ର ଯୋଜନା । ଏହି ଯୋଜନାରେ ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ ସାଲ୍‌ ବୁଣାକୁ ପୁଣି ଉଜ୍ଜୀବିତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଏନେଇ ବିଷମକଟକ ଚାଟିକୋଣାଠାରେ ଆୟୋଜିତ ହୋଇଥିଲା ଏକ ବୈଠକ । ଏଥିରେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡରୁକା ସଭାପତିତ୍ୱ କରିଥିଲେ । ଏହିଠାରୁ ଆରମ୍ଭ ହୋଇଛି ‘ମିଶନ୍‌ କପଡ଼ା ଗୁନ୍ଦା’ କାର୍ଯ୍ୟକ୍ରମ । ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଉପସ୍ଥିତି ଓ ପ୍ରୋତ୍ସାହନରେ ପାରମ୍ପରିକ ସାଲ୍‌ ବୁଣାକୁ ପୁଣି ପ୍ରୋତ୍ସାହନ ଦିଆଯାଇଛି । ବିଷମ କଟକ ବ୍ଲକ୍‌ ନିୟମଗିରି ପାହାଡ଼ରେ ଥିବା ୬୪ଟି ଗାଁର ୩ ଶହ ଯୁବକ ଯୁବତୀଙ୍କୁ ଏହି ସାଲ ବୁଣିବା ପାଇଁ ତାଲିମ ଦିଆଯିବ ।

ଅବସର ସମୟରେ ଅବିବାହିତ ଡଙ୍ଗରିଆ ଯୁବତୀମାନେ ଏହି ସାଲ୍‌ ବୁଣିଥାନ୍ତି । ସେମାନେ ନିଜ ଭାଇ, ଗାଁ ମୁଖିଆ, ପ୍ରେମିକକୁ ଏହା ଭେଟି ଦେଇଥାନ୍ତି । ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ଆକର୍ଷଣ ହେଉଛି ଏହି ସାଲ୍‌ । ଯାହା ପ୍ରାକୃତିକ ରଙ୍ଗ ଦେଇ ତିଆରି ହୁଏ । ତେବେ ସମୟ କ୍ରମେ ହଜି ଯାଉଥିବା ଏହି କୌଳିକ କାର୍ଯ୍ୟରୁ ଓହରି ଗଲେଣି ସେମାନେ । ପ୍ରୋତ୍ସାହନ ଓ ବିକ୍ରିବଟାର ଅଭାବ ଯୋଗୁଁ ଏଭଳି ଘଟିଛି । ସେଥିଲାଗି ରାୟଗଡ଼ା ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନୂଆ ଯୋଜନା । ସମସ୍ତଙ୍କୁ ସାମିଲ କରି ସମସ୍ତଙ୍କୁ ସାଙ୍ଗରେ ନେଇ ବୈଠକରେ ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ, ସାଂସଦ ଝିନ୍ନ ହିକକା, ବିଧାୟକ ଲାଲ ବିହାରୀ ହିମିରିକା, ଜଗନ୍ନାଥ ସାରକା, ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ ଏବଂ ରାୟଗଡ଼ା ଜିଲ୍ଲା ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୦ଟି ଆଦିବାସୀ ଗାଁରେ ଦେବୀ ମନ୍ଦିର ନିର୍ମାଣ ଏବଂ ୧୧ଟି ପଞ୍ଚାୟତରେ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.