Below header

ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ, ଆଜି ଏକାଦଶୀରେ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ରିଷ୍ଟ

ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ଖଳି ଲାଗି ଏକାଦଶୀ । ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ ।

ପୁରୀ (କେନ୍ୟୁଜ): ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅଣସର ଘରେ ମହାପ୍ରଭୁଙ୍କର ଗୁପ୍ତ ଉପଚାର ଚାଲିଛି । ଆଜି ଶ୍ରୀମନ୍ଦିରରେ ଖଳି ଲାଗି ଏକାଦଶୀ ପାଳନ ହେବ । ଏହି ଅବସରରେ ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଲାଗି ହେବ ଦଶମୂଳ ମୋଦକ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ପ୍ରସ୍ତୁତ ହୋଇଛି । ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୁଏ ବୋଲି କହିଛନ୍ତି ରାଜବୈଦ୍ୟ।

ଦଇତାପତି ସେବାୟତମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ । ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଗାରଦରେ ଜିମା ଦିଆଯାଇଛି । ଶ୍ରୀବିଗ୍ରହଙ୍କୁ ଆଜି ଏକାଦଶୀ ତିଥିରେ ଖଳି ଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବାର ପରମ୍ପରା ରହିଛି । ମହାପ୍ରଭୁ ଆଜି ଦଶମୂଳ ମୋଦକ ଖାଇ ସମ୍ପୂର୍ଣ ସୁସ୍ଥ ଲାଭ କରିବେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.