ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ବଢ଼ିଲା ସମ୍ଭାବନା: କୌଣସି ସମୟରେ ବି ହୋଇପାରେ ତାରିଖ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ସଫା । ବଢ଼ିଲା ଉତ୍କଣ୍ଠା । ଉଜ୍ଜଳ ହେଲା ଆଶା । ଆଜି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ କୋଭିଡ଼ ସ୍ଥିତି ନେଇ କମିଶନଙ୍କ ଆଗରେ ସରକାରଙ୍କ ପକ୍ଷରୁ ତଥ୍ୟ ରଖାଯାଇଛି। ଟିକାକରଣ ସଂପର୍କରେ ବି ଆଲୋଚନା ହୋଇଛି । ଏପରିକି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଞ୍ଜାବ, ଉତ୍ତରପ୍ରଦେଶ ଠାରୁ ଅଧିକ ପ୍ରଥମ ଡୋଜ୍ ଟିକାକରଣ ହୋଇଛି ଓଡ଼ିଶାରେ। ତେଣୁ କୋଭିଡ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ କରାଯାଇପାରିବ।
ନିର୍ବାଚନ ବେଳେ ମତଦାତା, ସୁରକ୍ଷାକର୍ମୀ, ରାଜନୈତିକ ଦଳ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଜ୍ୟ ସରକାର ମତାମତ ରଖିଛନ୍ତି । ତାହାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର।
ଏଭିତରେ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ । ଜିଲ୍ଲାପରିଷଦ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବି କମିଶନଙ୍କୁ ଦିଆଯାଇଛି । ଆସନ୍ତା ୧୦ ତାରିଖରେ ରାଜନୈତିକ ଦଳଗୁଡ଼ିକ ଠାରୁ ପଞ୍ଚାୟତ ନିର୍ବାଚନ ସଂପର୍କରେ ମତାମତ ଲୋଡିବେ କମିଶନ । ପରେ ଜିଲ୍ଲାପାଳ ଓ ଏସପିଙ୍କ ସହ ବୈଠକ ହେବ । ଏହାପରେ ଯେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି ।