Below header

ମାଲକାନଗିରି : ମୋର ଭାଇ ନାହିଁ ବୋଲି କଣ ମୁଁ ନାହିଁ, ବାପାର ଶବ କନ୍ଧେଇଲା ଓ ମୁଖାଗ୍ନି ଦେଲା ଝିଅ

ମାଲକାନାଗିରି (କେନ୍ୟୁଜ ) : କିଏ କହିଲା ଝିଅ କରିପାରିବେନି ଶବ ସତ୍କାର। କେବଳ ପୁଅମାନେ ହିଁ ଦେଇପାରିବେ ବାପାଙ୍କର ମୁଖାଗ୍ନି। କିନ୍ତୁ ବର୍ତ୍ତମାନର ଝିଅମାନେ ନେଉଛନ୍ତି ପୁଅଙ୍କ ସ୍ଥାନ। ପରିସ୍ଥିତିକୁ ନଜରରେ ରଖି ଝିଅ ମଧ୍ୟ ଦେଉଛନ୍ତି ବାପା ମୁହଁରେ ନିଆଁ। ଏମିତି ହିଁ ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ସଦର ମହକୁମା ପ୍ରଧାନୀଗୁଡା ଗ୍ରାମରେ।

mukhagniବାପାଙ୍କ ଶେଷକୃତ୍ୟ ପାଇଁ ପୁଅର ଅଭାବ ରଖିଲା ନାହିଁ ଘରର ବଡ ଝିଅ ସଂଯୁକ୍ତା। ପୁଅ ଭଳି ବାପାଙ୍କ ଶବକୁ କାନ୍ଧଇବା ସହ ମୁଖାଗ୍ନି ବି ଦେଲେ। ଯାହାକି ଜିଲ୍ଲାସାରା ଚର୍ଚ୍ଚାର ବିଷୟ ପାଲଟିଛି ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ସ୍ଥିତ ପ୍ରଧାନୀଗୁଡା ଗ୍ରାମରେ ରହୁଥିଲେ ସତ୍ୟ ନାରାୟଣ ନାୟକ।ବୟସ ୫୫ ବର୍ଷ।ପରିବାର କହିଲେ ପତ୍ନୀ ଏବଂ ୪ ଝିଅ। ସତ୍ୟ ଜଣେ ଅଟୋ ଡ୍ରାଇଭର। ନିଜେ ଅଟୋ ଚଳାଇ ସ୍ତ୍ରୀ ଏବଂ ୪ ଝିଅଙ୍କ ମୁହଁରେ ଦୁଇ ମୁଠା ଖାଇବାକୁ ଦେଉଥିଲେ।

ତେବେ ଗତ କାଲି ଏକ ଦୁର୍ଘଟଣାରେ ଶିକାର ହେଲେ ସତ୍ୟ। ଯାହାପରେ ତାଙ୍କର ମୃତ୍ୟୁ ହୋଇଗଲା। ପୁଅ ନଥିବାରୁ ବାପାଙ୍କ ମୁହଁରେ ନିଆଁ କିଏ ଦେବ ଏହି ଚିନ୍ତାରେ ଥିଲେ ପରିବାର। ସତ୍ୟଙ୍କ ଚାରି ଝିଅ ତାଙ୍କୁ କେବେବି ପୁଅର ଅଭାବକୁ ଅନୁଭବ କରିବାକୁ ଦେଇନାହାଁନ୍ତି। ଶେଷ ସମୟରେ ବି ବାପାଙ୍କ ପାଖେ ପାଖେ ରହିଥିଲେ ।

sanjuktaବହୁ ଭାବିବା ପରେ ବଡ ଝିଅ ସଂଯୁକ୍ତା ବାପାଙ୍କ କୋକେଇକୁ କାନ୍ଧେଇ ଶ୍ମଶାନକୁ ଚାଲିଲେ । ଝିଅ ଶବ କନ୍ଧେଇବା ପରମ୍ପରା ହିନ୍ଦୁ ଧର୍ମରେ ବିଶେଷ କରି ଦେଖିବାକୁ ମିଳେନାହିଁ । ହେଲେ ଏହି ଘଟଣା ଲୋକଙ୍କୁ ଚକିତ କରିଥିବା ବେଳେ ମୁହଁରୁ ଆପେ ଆପେ ପ୍ରଶଂସା ବି ବାହାରି ପଡୁଥିଲା । ଶବକୁ ମୁଖାଗ୍ନି ଦେଇ ବଡ ଝିଅ ନିଜ ଦାୟିତ୍ବ ତଥା କର୍ତବ୍ୟକୁ ସଂପାଦନ କରିଥିଲେ ।

ପୁଅ ନଥିବା ସତ୍ତ୍ୱେ ଝିଅମାନଙ୍କୁ ଅଧିକ ସ୍ନେହ ଦେଉଥିଲେ ସତ୍ୟ । ବାପାଙ୍କର ଅକାଳ ବିୟୋଗରେ ଝିଅମାନେ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କିନ୍ତୁ ଧୈର୍ଯ୍ୟ ହରାଇ ନାହାନ୍ତି ଏମାନେ। ପୁଅ ଜନ୍ମ ହେଲେ ବଂଶ ବଢ଼ାଇବ ଏବଂ ବାପାଙ୍କ ଶବକୁ ମୁଖାଗ୍ନି ଦେବ ବୋଲି ଯେଉଁ କଥା ରହିଛି ତାକୁ ମିଥ୍ୟା ପ୍ରମାଣିତ କରିଥିଲେ ଏହି ଚାରି ଝିଅ। ପୁଅ ଯେଉଁ ଯେଉଁ କାର୍ଯ୍ୟ କରିଥାନ୍ତା ତାହାକୁ ସେମାନେ ନିଷ୍ଠାର ସହ ତୁଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.