ଚଳିତବର୍ଷ ହଜ୍ରେ ଯିବାକୁ ଥିବା ଯାତ୍ରୀଙ୍କର ମଉଳି ଯାଇପାରେ ଆଶା, ସାଉଦି ଆରବରେ ୨୦ ଦେଶର ନାଗରିକଙ୍କୁ ୧୭ ମେ’ ପର୍ଯ୍ୟନ୍ତ ‘ନୋ ଏଣ୍ଟ୍ରି’

ସାଉଦି ଆରବ ୨୦ ଦେଶର ନାଗରିକଙ୍କୁ ୧୭ ମେ’ ପର୍ଯ୍ୟନ୍ତ ନିଜ ଦେଶକୁ ପ୍ରବେଶ ଦେବା ଉପରେ ବ୍ୟାନ୍ ଲଗାଇ ଦେଇଛି। ଏହି ୨୦ ଦେଶରେ ଭାରତ ମଧ୍ୟ ସାମିଲ ଅଛି। ଏଭଳି ସ୍ଥିତିରେ ଚଳିତବର୍ଷ ହଜ୍ ଯାତ୍ରା କରିବାକୁ ଥିବା ଭାରତୀୟ ଯାତ୍ରୀଙ୍କୁ ବି ନିରାଶର ସ୍ୱାଦ ଚାଖିବାକୁ ପଡ଼ିପାରେ। ୨୦୨୦ରେ କରୋନା ଭାଇରସ୍ ମହାମାରୀ ଯୋଗୁ ହଜ୍ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଆଶା କରାଯାଉଥିଲା କି, ୨୦୨୧ରେ ହଜ୍ ଯାତ୍ରୀମାନେ ସାଉଦି ଆରବ ଯାଇ ହଜ୍ କରିପାରିବେ। କିନ୍ତୁ ଏବେ ଏହି ଆଶା ମଉଳି ଯାଇଛି।
ସାଉଦି ଅଥରିଟୀ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି ନିଷ୍ପତ୍ତି
ପ୍ରତ୍ୟେକ ବର୍ଷ ପାଖାପାଖି ୨ ଲକ୍ଷ ଭାରତୀୟ ହଜ୍ ପାଇଁ ସାଉଦି ଆରବସ୍ଥିତ ମକ୍କା-ମଦିନା ଯାଇଥାଆନ୍ତି। ଚଳିତବର୍ଷ ଏବେ ସୁଦ୍ଧା ସାଉଦି ଅଥରିଟୀଙ୍କ ତରଫରୁ ହଜ୍ ଯାତ୍ରୀମାନଙ୍କ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏପରି କି, ପ୍ରି ସିଲେକ୍ସନ ପ୍ରୋସେସ୍ ମଧ୍ୟ ଆରମ୍ଭ ହୋଇନାହିଁ। କହି ରଖୁଛୁ, ୧୦ ଫେବୃଆରୀରେ ଇଣ୍ଡିଆନ ଡିପ୍ଲୋମେଟସ୍ ଏବଂ ସାଉଦି ଅଥରିଟୀଙ୍କ ମଧ୍ୟରେ ହଜ୍ ଯାତ୍ରୀଙ୍କୁ ନେଇ ଆଲୋଚନା ହେବ। କିନ୍ତୁ ଏ ପର୍ଯ୍ୟନ୍ତ ଏହା ସମ୍ବନ୍ଧରେ କୌଣସି ବଡ଼ ସୂଚନା ସାମ୍ନାକୁ ଆସିନାହିଁ।
ଚଳିତବର୍ଷ କମିପାରେ ହଜ୍ ଯାତ୍ରୀଙ୍କ ସଂଖ୍ୟା
ଚଳତବର୍ଷ ହଜ୍ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ସଂଖ୍ୟା କମିପାରେ। ଯଦିଓ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନି କି, କେତେ ଯାତ୍ରୀ ହଜ୍ କରିବା ପାଇଁ ମକ୍କା-ମଦିନା ଯିବେ। ହଜ୍ କମିଟି ମୁତାବକ, ଯଦି ସାଉଦି ଭାରତୀୟ ହଜ୍ ଯାତ୍ରୀଙ୍କୁ ଅନୁମତି ଦିଏ, ତଥାପି ମଧ୍ୟ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ। ସୂଚନାଥାଉ କି, ଏଥର ହଜ୍କୁ ଜୁଲାଇ ମାସରେ ଶେଡ୍ୟୁଲ୍ କରାଯାଇଛି।