ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ରର ରୂପ, ଛାନିଆ ସମୁଦ୍ରକୂଳିଆ ବାସିନ୍ଦା

ଗଞ୍ଜାମ(କେନ୍ୟୁଜ): ସମୁଦ୍ରର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣରେ ନୂତନ ଭାବେ ମୁହାଣ ସୃଷ୍ଟି ହୋଇଥିଲା । କିନ୍ତୁ ଗତ ଚାରି ଦିନ ହେବ ଋଷିକୂଲ୍ୟା ନଦୀ ମୁହାଣରେ ରହିଥିବା ପ୍ରାୟ ୫ରୁ ଅଧିକ ଗାଁ ନିକଟରେ ରହିଥିବା ସମୁଦ୍ର କୂଳ ଲଂଘୁଛି । ଯାହାଫଳରେ ଗ୍ରାମବାସୀମାନେ କେବଳ ଭୟଭୀତ ହୋଇ ରହିଛନ୍ତି ତାହା ନୁହେଁ ବରଂ ଏଭଳି ସମୁଦ୍ରର କରାଳ ରୂପ ଯୋଗୁଁ ମତ୍ସ୍ୟଜିବୀମାନେ ନିଜର ଜୀବିକା ହରାଇବାକୁ ବସିଲେଣି । ଯାହାକୁ ନେଇ ବେଶ ଦୁଃଖ ପ୍ରକାଶ କରିଛନ୍ତି ମତ୍ସ୍ୟଜିବୀ । ସେପଟେ ପାଣିପାଗରେ ବିରାଟ ପରିବର୍ତ୍ତନ ଯୋଗୁଁ ଏଭଳି ସମୁଦ୍ରର ରୂପ ବଦଳୁଥିବା କହିଛନ୍ତି ପରିବେଶବିତ୍ ।

ସମୁଦ୍ରର ଉତ୍କଟ ରୂପକୁ ଦେଖି ଛାନିଆ ଏବେ ସମୁଦ୍ରକୂଳିଆ ବାସିନ୍ଦା । ଗତ ଦୁଇ ସପ୍ତାହ ଧରି ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଗତ ସପ୍ତାହରେ ଅଶାନ୍ତ ସମୁଦ୍ର ଯୋଗୁଁ ଗଞ୍ଜାମ ଋଷିକୂଲ୍ୟାରେ ରହିଥିବା ଗୋଟିଏ ମୁହାଣ ତିନୋଟି ମୁହାଣରେ ପରିବର୍ତ୍ତନ ହୋଇଛି । ସମୁଦ୍ରର ଉଚ୍ଚ ଲହଡ଼ି ମାରିବା ଯୋଗୁଁ ନୂତନ ଭାବେ ଋଷିକୂଲ୍ୟା ନଦୀ କୂଳରେ ଆଉ ଦୁଇଟି ନୂଆ ମୁହାଣ ସୃଷ୍ଟି ହୋଇଛି । ଗଞ୍ଜାମ ବ୍ଳକର ପୋଡ଼ମପେଟା, ପୁରୁଣାବନ୍ଧ, ବଟେଶ୍ବର, ପାଳିବନ୍ଧ ଭଳି ପ୍ରାୟ ୫ ଖଣ୍ଡ ଗାଁ ନିକଟରେ ରହିଥିବା ସମୁଦ୍ର ଉପକୂଳ ଏବେ ଅଶାନ୍ତ ହୋଇପଡ଼ିଛି । ଗୋଟିଏ ପଟେ ନୂଆ ମୁହାଣ ଓ ଅନ୍ୟପଟେ ସମୁଦ୍ର କୂଳ ଲଂଘିବା ଦ୍ୱାରା ମତ୍ସ୍ୟଜିବୀଙ୍କ ସମସ୍ୟା ଏବେ ଦ୍ୱିଗୁଣିତ ହୋଇଛି । ଦୁଇଟି ନୂଆ ମୁହାଣ ହେବା ଯୋଗୁଁ ପାଣି ଅଧିକ ସ୍ଥାନକୁ ମାଡ଼ି ଆସୁଛି ତେଣୁ ମାଛ ମଧ୍ୟ ଜାଲରେ ପଡ଼ୁନାହିଁ । ଯାହାଫଳରେ ଜୀବିକା ନିର୍ବାହ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ୟଜୀବୀ ।

ସେପଟେ ସମୁଦ୍ର କୂଳ ଲଂଘିବା ଦ୍ବାରା ସମୁଦ୍ର କୂଳରେ ରହିଥିବା ବଡ଼ ବଡ଼ ଝାଉଁ ଗଛ ଉପୁଡ଼ି ଯାଇ ସମୁଦ୍ର ଗର୍ଭକୁ ଚାଲିଯାଉଛି । ସମୁଦ୍ରକୂଳିଆ ଗାଁକୁ ସୁରକ୍ଷା ଦେଉଥିବା ଏହି ଗଛ ଗୁଡ଼ିକ ଯଦି ସମୁଦ୍ର ଗର୍ଭରେ ଲୀନ ହୁଏ ତେବେ ଆଗାମୀ ଦିନରେ ବନ୍ୟା ଓ ବାତ୍ୟା ଭଳି ସାମୁଦ୍ରିକ ବିପର୍ଯ୍ୟୟ ହେଲେ ଗାଁ ପ୍ରତି ଅଧିକ ବିପଦ ହେବ ବୋଲି ଆଶଙ୍କା ରହୁଛି । ସମୁଦ୍ରର ଏଭଳି ରୂପର ମୁଖ୍ୟ କାରଣ ହେଉଛି ପାଣିପାଗରେ ବିରାଟ ପରିବର୍ତ୍ତନ ଓ ବାରମ୍ବାର ବାତ୍ୟାର ଆଗମନ । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ସମୁଦ୍ର କୂଳ ଲଂଘିବା ସହ ନୂଆ ମୁହାଣ ମଧ୍ୟ ସୃଷ୍ଟି ହୋଇଛି । ସେହିପରି ବାରମ୍ବାର ବାତ୍ୟା ହେବା ଯୋଗୁଁ ସମୁଦ୍ର ଅଶାନ୍ତ ହେଉଛି ଆଉ ନୂଆ ମୁହାଣ ସୃଷ୍ଟି ହେଉଛି । ତେଣୁ ଏହାର କେବଳ ଗୋଟିଏ ସମାଧାନ କିଭଳି ଅଧିକରୁ ଅଧିକ ଗଛ ଲଗାଯାଇ ପରିବେଶକୁ ସଂରକ୍ଷଣ କରାଯାଇ ପାରିବ ।

Leave A Reply

Your email address will not be published.