ଜୀବିତ ଥାଉ ଥାଉ ହିତାଧିକାରୀଙ୍କୁ ମୃତ ଘୋଷଣା, କାଳିଆ ଯୋଜନା ରାଶିରୁ ବଞ୍ଚିତ ହୋଇଛନ୍ତି କାଳନ୍ଦୀ

ଖବର ମୁତାବକ ଉକ୍ତ ଗାଁର ଏକନ ପାତ୍ରଙ୍କ ପୁଅ କାଳନ୍ଦୀ ପାତ୍ର କାଳିଆ ଯୋଜନାର ହିତାଧିକାରୀ । କାଳିଆ ଯୋଜନା ଆରମ୍ଭ ହେବା ଠାରୁ ମାତ୍ର ୨ଥର ସେ ଏହି ରାଶି ପାଇଛନ୍ତି ।

ଯାଜପୁର (କେନ୍ୟୁଜ): ରାଜ୍ୟରେ ଥିବା କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ଵାରା କୃଷକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି ହେଉଛି । ରାଜ୍ୟର ୪୭ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି । କେତେକ କ୍ଷେତ୍ରରେ ପରିଚାଳନା ଗତ ତ୍ରୁଟି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।

ସମାନ ଭାବେ ଏପରି ଏକ ଘଟଣା ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପଞ୍ଚାୟତର ଗୟଳଗଡିଆ ଗ୍ରାମରେ ଦେଖିବାକୁ ମିଳିଛି। ଖବର ମୁତାବକ ଉକ୍ତ ଗାଁର ଏକନ ପାତ୍ରଙ୍କ ପୁଅ କାଳନ୍ଦୀ ପାତ୍ର କାଳିଆ ଯୋଜନାର ହିତାଧିକାରୀ । କାଳିଆ ଯୋଜନା ଆରମ୍ଭ ହେବା ଠାରୁ ମାତ୍ର ୨ଥର ସେ ଏହି ରାଶି ପାଇଛନ୍ତି । କିନ୍ତୁ ପରେ ତାଙ୍କୁ ଆଉ ଏହି ରାଶି ମିଳି ନଥିଲା । ତାଙ୍କୁ କାହିଁକି ଏହି ରାଶିରୁ ବଞ୍ଚିତ କରାଗଲା ସେ ବିଷୟରେ ଜାଣିବା ପାଇଁ ସେ କୋରେଇ ବ୍ଲକର କର୍ମଚାରୀଙ୍କ ସହିତ ଯୋଗାଯୋଗ କରିଥିଲେ । କିନ୍ତୁ କୈାଣସି ସନ୍ତୁଷ୍ଟ ଉତ୍ତର ନପାଇବାରୁ ବାଧ୍ୟ ହୋଇ ଅନଲାଇନରେ ସର୍ଚ୍ଚ କରିଥିଲେ । ସେଥିରୁ ଯେଉଁ ତଥ୍ୟ ମିଳିଥିଲା ତାହା ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଜୀବିତ ଥାଉ ଥାଉ ତାଙ୍କୁ ସେଥିରେ ମୃତ ବୋଲି ଦର୍ଶାଯାଇଛି । ଯେଉଁଥିପାଇଁ ସେ କାଳିଆ ଯୋଜନାରେ ମିଳୁଥିବା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ।

ଜୀବିତ ଥାଉ ଥାଉ ତାଙ୍କୁ ମୃତ ଦର୍ଶାଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବଞ୍ଚି ଥାଉ ଥାଉ ତାଙ୍କୁ ମୃତ ଘୋଷଣା କରାଯାଉଛି । ନୀରିହ ଲୋକ ହୋଇଥିବାରୁ ସେମାନେ ଅଭିଯୋଗ ନକରି ଚୁପ୍‌ ରହି ଯାଆନ୍ତି । ତେବେ ଏ ବ୍ୟକ୍ତି ଜଣଙ୍କୁ ନ୍ୟାୟ ମିଳୁ ତାହା ହିଁ ସମସ୍ତେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.