ଆଖଣ୍ଡଳମଣିଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଜଣେ ଭକ୍ତ, ଚିଠି ଲେଖି ଦେଲେ ଶୁଭେଚ୍ଛାର ବାର୍ତ୍ତା

ଏକ ଚିଠି ମାଧ୍ୟମରେ ଦେବ ଦେବ ମହାଦେବ ବାବା ଆଖଣଳମଣିଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଜଣେ ଭକ୍ତ । ହାପି ନ୍ୟୁ ଇୟରରୁ ଆରମ୍ଭ ହୋଇଛି ଚିଠିର ଲେଖା । ଚିଠିରେ ଲେଖିଛନ୍ତି ବାବା ଆଖଣ୍ଡଳମଣି ମୋ ହୃଦୟ ଭିତରେ ଅଛନ୍ତି ।

ଭଦ୍ରକ (କେନ୍ୟୁଜ୍‌): ନୂଆ ବର୍ଷରେ ସମସ୍ତେ ନିଜ ସର୍ମ୍ପକୀୟଙ୍କୁ ଶୁଭେଚ୍ଛା ଜଣାନ୍ତି । କିନ୍ତୁ ଖୁବ କମ୍‌ ଲୋକ ଥାଆନ୍ତି ଯେଉଁମାନେ ଭଗବାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । ଭକ୍ତମାନେ ନୂଆବର୍ଷରେ ଭଗବାନଙ୍କ ନିକଟକୁ ଯାଇ ଭୋଗ ଲଗାନ୍ତି ମାନସିକ କରନ୍ତି । କିନ୍ତୁ ଜଣେ ଭକ୍ତ ନିଆରା ଢଙ୍ଗରେ ବାବା ଆଖଣ୍ଡଳମଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ।

ଏକ ଚିଠି ମାଧ୍ୟମରେ ଦେବ ଦେବ ମହାଦେବ ବାବା ଆଖଣ୍ଡଳମଣିଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଜଣେ ଭକ୍ତ । ହାପି ନ୍ୟୁ ଇୟରରୁ ଆରମ୍ଭ ହୋଇଛି ଚିଠିର ଲେଖା । ଚିଠିରେ ଲେଖିଛନ୍ତି ବାବା ଆଖଣ୍ଡଳମଣି ମୋ ହୃଦୟ ଭିତରେ ଅଛନ୍ତି । ସବୁ କିଛି ବାବା ଆଖଣ୍ଡଳମଣି ମୋତେ ଦେଇଛନ୍ତି । ତେଣୁ ମୁଁ ମୋ ଜୀବନକୁ ତାଙ୍କ ନିକଟରେ ସମର୍ପଣ କରିଦେଇଛି । ତାହା ସହ ନିଜ ଜୀବନ ସାଥି କଥା ମଧ୍ୟ ଚିଠିରେ ଲେଖିଛନ୍ତି ବିଷ୍ଣୁ ପ୍ରିୟା । ସେ ମୋ ଜୀବନ ସାଥୀ ହେବ କି ନାହିଁ ମୁଁ ଜାଣିନି , ହେଲେ ସେ ଭଲରେ ରହୁ, ଆଗକୁ ବଢ଼ୁ । ତାହା ସହ ବାବା ଆଖଣ୍ଡଳମଣିଙ୍କ ପ୍ରତି ଥିବା ଭଲ ପାଇବା ଓ ଭକ୍ତି ସମ୍ପର୍କରେ ମଧ୍ୟ ସେ ଲେଖିଛନ୍ତି । ଶେଷରେ ଲେଖା ଯାଇଛି ଯଦି ମୋ ଲେଖାରେ କିଛି ଭୁଲ୍ ଥାଏ ତେବେ ମୋତେ କ୍ଷମା କରିଦେବେ ।

ଏହି ଚିଠି ଆରଡ଼ି ବାବା ଆଖଣ୍ଡଳମଣି ମନ୍ଦିର ଦାନ ବାକ୍ସରୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ଏମିତି ବି ମଣିଷ ଅଛନ୍ତି ଯେଉଁମାନେ ଠାକୁରଙ୍କୁ ମଧ୍ୟ ନିଜର ଗୁହାରି ଓ ଭଲପାଇବା ଚିଠି ମାଧ୍ୟମରେ ଜଣାଉଛନ୍ତି । ଯାହା ନିଶ୍ଚିତ ଭାବେ ଏକ ହୃଦୟସ୍ପର୍ଶୀ ଘଟଣା । ଆଖଣ୍ଡଳମଣି ବାବାଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ । ଶ୍ରଦ୍ଧାଳୁମାନେ ନିଜ ମନର ବେଦନାକୁ ଭଗବାନଙ୍କ ଆଗରେ ଖୋଲି କରି କୁହନ୍ତି । କିନ୍ତୁ ବିଷ୍ଣୁପ୍ରିୟା ନିଜ ମନର କଷ୍ଟକୁ ଭିନ୍ନ ଢଙ୍ଗରେ ପ୍ରକାଶ କରିଛନ୍ତି ।

ଏହି ଚିଠି ଦାନ ବାକ୍ସରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ଚିଠିକୁ ଦେଖିଲେ ଭକ୍ତଙ୍କ ମନରେ ଭଗବାନଙ୍କ ପ୍ରତି ଥିବା ଭଲ ପାଇବା ଖୁବ ବାରି ହୋଇ ପଡ଼ୁଛି । ଭକ୍ତ ଓ ଭଗବାନଙ୍କର ଏ ଅପୂର୍ବ ଭଲ ପାଇବାକୁ ଦେଖିଲେ ବେଶ ଖୁସି ଲାଗେ । କାରଣ ବର୍ତ୍ତମାନର ଯୁବପିଢ଼ି ମୋବାଇଲ ଚଳାଇବାରେ ବ୍ୟସ୍ତ ରହୁଛନ୍ତି । ଆଧୁନିକତା ଭିତରେ ବି ବିଷ୍ଣୁପ୍ରିୟାଙ୍କ ଚିଠି ସସସ୍ତଙ୍କ ମନରେ ଭକ୍ତି ଭାବନାକୁ ନୂଆ ରୂପ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.