ଓଲଟିଲା ଧଉଳି ଗଣନାଟ୍ୟର ଯାତ୍ରା ପାର୍ଟି ଟ୍ରକ୍‌ : ୬ ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟର ଯାତ୍ରା ପାର୍ଟି ଟ୍ରକ୍‌ । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି ।

ବାଙ୍ଗିରିପୋଷି (କେନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ଧଉଳି ଗଣନାଟ୍ୟର ଗାଡ଼ି ମର୍ମନ୍ତୁଦ ଦୁର୍ଘଟଣାର ଶିକାର । ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍‌ । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପହଂଚି ଟ୍ରକ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ମେଡିକାଲକୁ ପଠାଇଥିଲେ ।

ତେବେ ଦ୍ବାରଶୁଣି ଘାଟିରେ ଏକ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  । ମୃତକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମୃତକ ଛଅ ଜଣ ମଧ୍ୟରୁ ତିନିଜଣଙ୍କ ପରିଚୟ ଜଣା ପଡିଥିବା ବେଳେ ୩ ଜଣଙ୍କ ପରିଚୟ ମିଳିପାରି ନାହିଁ । ମୃତକ ତିନି ଜଣ କଟକ ଜିଲ୍ଲା ଜମରା ଗ୍ରାମର ଅଶୋକ ମଲ୍ଲିକ, ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ମାଧ ଓ ଅନ୍ୟଜଣେ ହେଲେ ଝାଡେଶ୍ୱର ମାରାଣ୍ଡି ।

ମିଳିଥିବା ସୂଚନା ଅନୁସାରେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରୁ ଯାତ୍ରା ସାରି ଜଳେଶ୍ୱର ଯାଉଥିଲେ । ଏହି ସମୟରେ ଦ୍ୱାରଶୁଣି ଘାଟିରୁ ଓହ୍ଲାଉଥିବା ବେଳେ ଟ୍ରକର ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯିବା ପରେ PRM ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା । ମୃତକ ୬ ଜଣଙ୍କ ଶବ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗିରହିଥିବା ସତ୍ବେ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଏ ଘାଟି ସବୁ ବେଳେ ଜୀବନ ନେଉଛି

ସୂଚନା ଅଧିକାର ଆଇନ ବଳ ରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪ମସିହା ରୁ ୨୦୨୦ଅକ୍ଟୋବର ପର୍ଯ୍ୟନ୍ତଘାଟି ରାସ୍ତା ରେ ୯୦ଟି ଦୁର୍ଘଟଣା ଘଟି ଥିବା ବେଳେ,୪୪ଜଣଙ୍କ ପ୍ରାଣହାନି ହୋଇଛି । ଏଥିରେ ୬୩ ଜଣ ଗୁରୁତର ଆହତ ହେଇଛନ୍ତି। ଛୋଟ ବଡ଼ ମୋଟ ୯୦ଟି ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି।
ସେହିପରି ଯଦି ୨୦୨୩ ମସିହା ଜାନୁଆରୀ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଖାଯାଏ ତେବେ ୭୦ଗୋଟି ଦୁର୍ଘଟଣାରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨ଜଣ ଆହତ ଓ ୨୫ଜଣ ଭିନ୍ନକ୍ଷମ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.