ତିନି ଅନାଥ ଶିଶୁଙ୍କ ମୁହଁକୁ ଫେରିଲା ହସ, ସାହାଯ୍ୟର ହାତ ବଢାଇଲା କିସ୍ ଅନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: କଣ ଏମିତି ବି ଦୁଃଖ ଦିଅନ୍ତି ଭଗବାନ? ଜନ୍ମ କି ମୃତ୍ଯୁ ବିଷୟରେ କିଛି ଜାଣି ନଥିବା ପିଲା ଆଜି ହୋଇଯାଇଛନ୍ତି ଅନାଥ। ଖେଳ କୁଦ ବୟସରେ, ଆଜି ଏମାନଙ୍କ ମୁଣ୍ଡ ଉପରେ ନାହିଁ ବାପା ମାଙ୍କ ହାତ। ହେଲେ ଭଗବାନ ସିନା ଏମାନଙ୍କୁ ଅନାଥ କରିଦେଲେ କିନ୍ତୁ ଏମାନଙ୍କ ପାଖରେ ସାହା ଭରସା ହୋଇ ଠିଆ ହୋଇଛନ୍ତି କାଉନସିଲର,ଉପଜିଲ୍ଲାପାଳ, କିସ୍ ଅନୁଷ୍ଠାନ ସହ ସାହି ବାସିନ୍ଦା। ଏଇ ସ୍ୱାର୍ଥପର ଦୁନିଆରେ ୩ ଅନାଥ ଶିଶୁଙ୍କୁ ସହାୟତାର ହାତ ବଢାଇ ମଣିଷ ପଣିଆ ପ୍ରମାଣ ଦେଇଛନ୍ତି ।

ଏ କାହାଣୀ କୌଣସି ଚଳଚିତ୍ରର କାହାଣୀ ନୁହେଁ। ଏଭଳି ଦୁଃଖଦ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ ଇଚ୍ଛାବତୀ ଗୁଡା, ବନ୍ଧମୁଣ୍ଡା ଅଞ୍ଚଳରେ। ସ୍ୱାମୀ ଦୁଷ୍ମନ୍ତ ବିଷୋୟୀ ୬ବର୍ଷ ହେବ ସ୍ତ୍ରୀ କୁମାରୀ ଜାନୀ, ଦୁଇ ଝିଅ ଏବଂ ପୁଅକୁ ଛାଡି କେଉଁଆଡ଼େ ଚାଲିଯାଇଛନ୍ତି। ଭଙ୍ଗା ଦଦରା କୁଡ଼ିଆ ରେ ନିଜ ୩ ଛୁଆ ଙ୍କୁ ଧରି ମା କୁମାରୀ ପର ଘରେ ମୂଲ ଲାଗି ବଂଚିଯାଉଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଗତ ମାସେ ହେବ କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗତ ଦୁଇ ଦିନ ତଳେ କୁମାରୀ ନିଜ ୩ ସନ୍ତାନକୁ ଛାଡି ଆର ପାରିକୁ ଚାଲିଗଲେ।

ଅନ୍ଯପଟେ କୁମାରୀଙ୍କ ମୃତ୍ଯୁ ଖବରପାଇ ପହଞ୍ଚିଥିଲେ କାଉନସିଲର ସୁଧୀର ମହାପାତ୍ର। ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଶବ ସତ୍କାର କରିବା ସହ ଭଙ୍ଗା କୁଡ଼ିଆ ଉପରେ ଏକ ପଲିଥିନ ପାଲର ବ୍ୟବସ୍ଥା କରିଥିଲେ । ଆଉ ଏଇ ଖବର ପ୍ରଚାରିତ ହେବା ପରେ କିସ୍ ଅନୁଷ୍ଠାନ ର ସଂଯୋଜକ ସିବାସିସ ବଲବନ୍ତ ପହଂଚି ଲକଡାଉନ ସରିବା ପର୍ଯ୍ୟନ୍ତ ୩ ଶିଶୁଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି କହିଛନ୍ତି।  ନିଜେ ଉପଜିଲ୍ଲାପାଳ ଭାସ୍କର ରଇତ ୩ ଶିଶୁଙ୍କ ପାଖକୁ ପହଂଚି ପ୍ରତ୍ୟେକଙ୍କୁ ୫୦୦ଟଙ୍କା ଭତ୍ତା ପ୍ରଦାନ ସହ ୩୫ କିଲୋ ଚାଉଳ ସରକାରଙ୍କ ତରଫରୁ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ । ଲକଡାଉନ ସରିବା ପରେ ସମସ୍ତଙ୍କ ପାଇଁ  ହଷ୍ଟେଲରେ ରହି ପାଠ ପଢ଼ିବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ସାହି ବାସିନ୍ଦା ମାନେ ମଧ୍ୟ କୁମାରୀ ଡାକ୍ତରଖାନାରେ ଥିବା ସମୟରେ ଶିଶୁ ମାନଙ୍କ ଖାଇବା ପିଇବା ତଥା ସମସ୍ତ କଥା ନିଜ ପରିବାରର ସଦସ୍ୟ ଭଳି ବୁଝି ଆସୁଥିଲେ। ସବୁଠାରୁ ବଡ କଥା ମା ଚାଲିଯିବା ପରଠାରୁ କାଉନସିଲର ସୁଧୀର ମହାପାତ୍ର ଏମାନଙ୍କ ଛାଇ ଭଳି ପାଖରେ ରହିଛନ୍ତି। ସମସ୍ତଙ୍କର ସାହାଯ୍ୟ ଆଉ ସହାନୁଭୂତିକୁ ନେଇ ଏଇ ୩ ଛୁଆ ଅନାଥ ହେବାର କଷ୍ଟ ଭୁଲି ଯାଇଛନ୍ତି। ଏମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସବୁ ବର୍ଗରୁ ଅନୁରୋଧ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.