କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ନବବର୍ଷ ପାଳିତ, ମା ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଡ. ଅଚ୍ୟୁତ ସାମନ୍ତ

କଟକ(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ନବବର୍ଷ ପାଳିତ। କିଟ୍ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜନ୍ମମାଟି ଗସ୍ତ କରି ରଘୁନାଥଜୀଉ ଓ ମହାବୀରଙ୍କୁ ଦର୍ଶନ କରିଛନ୍ତି। ପ୍ରଭୁଙ୍କ ଦର୍ଶନ କରି ବିଶ୍ୱକୁ କରୋନା ମୁକ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ସ୍ମାର୍ଟ ଭିଲେଜର ମହିଳା ଓ ପଞ୍ଚାୟତର ମହିଳା ଓ ସ୍ୱୟଂସହାୟିକା ଗୋଷ୍ଟୀ ମହିଳା ମାନେ ସାଂସଦ ଡ. ସାମନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଉପସ୍ଥିତ ମହିଳାମାନଙ୍କୁ ଡ. ସାମନ୍ତ ମହିଳା ସଶସ୍ତୀକରଣ ମନ୍ତ୍ର ସହ ନବୀନ ସରକାରରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ଓ ସରକାର ମହିଳାଙ୍କୁ କିଭଳି ପ୍ରୋତ୍ସାହନ ଦେଉଛନ୍ତି ତାହା ଅଭିଭାଷଣରେ କହିଥିଲେ।
ନୂଆବର୍ଷ ପାଇଁ ରଘୁନାଥଜୀଉ ଓ ମହାବୀରଙ୍କୁ ଦର୍ଶନ ପରେ ସ୍ମାର୍ଟ ଭିଲେଜର ସ୍ରଷ୍ଟା ମା ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍ଥାନୀୟ ଜନସାଧାରଣ ନବବର୍ଷ ପାଇଁ ଡ. ସାମନ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଉପସ୍ଥିତ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।
ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ଓ କୁନି କଥାର ସମ୍ପାଦିକା ତଥା କଲରାବାଙ୍କର ଦୁଇ ହାଇସ୍କୁଲର ସଭାପତି ଡ. ଇତି ସାମନ୍ତ, ବରିଷ୍ଠ ସାମ୍ବାଦିକ ବିଜୟ ସ୍ୱାଇଁ, କିଟ୍ର ଆଇନ ପରାମର୍ଶଦାତା ମନୋରଞ୍ଜନ ପ୍ରଧାନ, ଗ୍ରାମ କମିଟି ସଭାପତି ଅଞ୍ଜନ ସାମନ୍ତ, ସମ୍ପାଦକ ଅଭିନ ଚନ୍ଦ୍ର କେଶ, ଦୁଇ ହାଇସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ନବବର୍ଷ ଅବସରରେ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି କାମନା କରିଥିଲେ ସାଂସଦ ଡ. ସାମନ୍ତ।