ମାତ୍ର ୧୩ ବର୍ଷରେ ଆକାଶ ଛୁଆଁ ପ୍ରତିଭା, କୁନି ହାତରେ ଆଙ୍କୁଛନ୍ତି ଜୀବନ୍ତ ଚିତ୍ର

କୁନି ହାତରେ କାନଭାସରେ ଆଙ୍କି ଦେଉଛନ୍ତି ଜୀବନ୍ତ ଚିତ୍ର । ସବୁଠୁ ବଡ଼ କଥା ହେଉଛି ଚିତ୍ର ଆଙ୍କିବା ପାଇଁ ସେ କୌଣସି ତାଲିମ ନେଇନାହାନ୍ତି। ଏହି କୁନି ପ୍ରତିଭାବାନ୍ ଶିଶୁ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଗାଁର ସ୍ବସ୍ତିକ ସୁଚିନ୍ତନ ପ୍ରଧାନ ।

ଚିତ୍ର କରିବାର ପ୍ରବଳ ଇଚ୍ଛା ଶକ୍ତି ଆଜି ତାଙ୍କୁ ଆଣି ଦେଇଛି ଅନେକ ସଫଳତା । ପେନସିଲ୍‌ ମୁନରେ ସୁନ୍ଦର ସୁନ୍ଦର ଚିତ୍ର କରି ସମସ୍ତଙ୍କୁ ତାଙ୍କ କଳାର ଯାଦୁ ଦେଖାଉଛନ୍ତି । ଏ ଚିତ୍ର ଦେଖିଲେ ଆପଣଙ୍କୁ ଲାଗୁଥିବ କେହି ଜଣେ ପ୍ରସିଦ୍ଧ ବ୍ୟକ୍ତି ଏସବୁକୁ ଆଙ୍କିଛନ୍ତି । କିନ୍ତୁ ଏ ଚିତ୍ରକୁ ଜଣେ ୧୩ ବର୍ଷର ଛାତ୍ର ଆଙ୍କିଛନ୍ତି । କେବଳ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ନିଜ ପ୍ରତିଭାକୁ ସେ ଦେଖାଇଛନ୍ତି । ତାଙ୍କର ଏ ସଫଳତା ପାଇଁ ଘର ଲୋକେ ବେଶ୍‌ ଖୁସି ଅଛନ୍ତି । ଖେଳକୁଦ ବୟସରେ ସେ ନିଜକୁ ଜଣେ ଦକ୍ଷ ଚିତ୍ରକର ଭାବେ ପ୍ରମାଣିତ କରିପାରିଛନ୍ତି । କୁନି ହାତରେ କାନଭାସରେ ଆଙ୍କି ଦେଉଛନ୍ତି ଜୀବନ୍ତ ଚିତ୍ର । ସବୁଠୁ ବଡ଼ କଥା ହେଉଛି ଚିତ୍ର ଆଙ୍କିବା ପାଇଁ ସେ କୌଣସି ତାଲିମ ନେଇନାହାନ୍ତି। ଏହି କୁନି ପ୍ରତିଭାବାନ୍ ଶିଶୁ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଗାଁର ସ୍ବସ୍ତିକ ସୁଚିନ୍ତନ ପ୍ରଧାନ ।

ବୟସ ତାଙ୍କୁ ମାତ୍ର ତେର ବର୍ଷ । ବିଭିନ୍ନ ମହାପୁରୁଷ ଦେବାଦେବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରିଟିଙ୍କ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ସ୍ୱସ୍ତିକ । ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଗାଁର ସତ୍ୟ ନାରାୟଣ ପ୍ରଧାନ ଓ ନୀଳିମା ପ୍ରଧାନଙ୍କ ପୁଅ ସ୍ୱସ୍ତିକ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ତେତେଲେଙ୍ଗା ଆଦର୍ଶ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସ୍ୱସ୍ତିକ ଯେଉଁ ଚିତ୍ରକୁ ଥରେ ଦେଖନ୍ତି, ଅବିକଳ ଭାବେ ସେ ତାକୁ ଆଙ୍କି ଦିଅନ୍ତି । କାକା ରାମ ନାରାୟଣ ମଧ୍ୟ ଜଣେ ଚିତ୍ରକର । ନିଜ କାକାଙ୍କ ଚିତ୍ର ଦେଖି ଓ ପ୍ରେରଣା ପାଇ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । କେବଳ ଚିତ୍ର ଅଙ୍କା ନୁହେଁ ପାଠପଢ଼ାରେ ମଧ୍ୟ ସେ ବେଶ୍‌ ଆଗୁଆ ।

ସ୍କୁଲରେ ପଢ଼ିବା ଦିନରୁ ସମସ୍ତ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଆସୁଛନ୍ତି । ଏପରିକି ସମସ୍ତ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ତାଙ୍କ ବର୍ଗରେ ସର୍ବଦା ପ୍ରଥମ ସ୍ଥାନ ଅଧିକାର କରିଆସୁଛନ୍ତି । ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ପୁରଷ୍କୃତ ହୋଇଛନ୍ତି । ଗତ ୨୦୨୦ ଅଗଷ୍ଟରେ ନ୍ୟାସନାଲ ଇଣ୍ଡିଗ୍ରେଟେଡ୍ ଫୋରମ୍ ଅଫ୍ ଆର୍ଟିଷ୍ଟ ଆଣ୍ଡ ଆକ୍ଟିଭିଷ୍ଟ ତରଫରୁ ଅନୁଷ୍ଠିତ ହୋଇଥିବା ଏକ ସର୍ବଭାରତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ୧୬ ବର୍ଷରୁ କମ୍ ବୟସ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ଗୌରବ ଆଣିଥିଲେ । ସେହିପରି ଚଳିତ ବର୍ଷ କାଦମ୍ବିନୀ କୁନିକଥାର ବାର୍ଷିକ ଉତ୍ସବରେ କୁନି ପ୍ରତିଭା ପୁରସ୍କାର ଲାଭ କରିଛନ୍ତି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସ୍ୱସ୍ତିକଙ୍କ ଚିତ୍ର ଦେଖି ଭୁୟସୀ ପ୍ରଂଶସା କରିଥିଲେ । ସ୍ବସ୍ତିକ ବିନା ତାଲିମରେ ଈଶ୍ବରଦତ୍ତ କଳା ପାଇଁ ପରିବାର, ବନ୍ଧୁ, ଆତ୍ମୀୟ ସ୍ବଜନଙ୍କ ପାଖରୁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଭବିଷ୍ୟତରେ ଜଣେ ବଡ଼ ଚିତ୍ରକର ହେବାର ଆଶା ରଖୁଛନ୍ତି ସ୍ବସ୍ତିକ ।

ସତରେ ସ୍ୱସ୍ତିକଙ୍କ ବୟସ ସିନା କମ୍‌ କିନ୍ତୁ ତାଙ୍କର କୁନି ହାତରେ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ଏହି ଚିତ୍ର । ତେବେ ତାଙ୍କୁ ଉପଯୁକ୍ତ ତାଲିମ୍‌ ଓ ପ୍ରେରଣା ମିଳିଲେ ସେ ଜଣେ ଭଲ ଚିତ୍ରଶିଳ୍ପୀ ହୋଇ ପାରିବେ ବୋଲି ଆଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.