୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନ: ରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର, ଅଟକାଇଲେ ହଳଦିଆ ନମ୍ବର ଥିବା ଗାଡ଼ି

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଧଳା ରଙ୍ଗ ନମ୍ବର ପ୍ଲେଟ୍‌ ବିଶିଷ୍ଟ କାର୍‌, ବସ୍‌ ଓ ବାଇକ୍‌ ଚାଳକକୁ ଛାଡ଼ି ଦେଉଛନ୍ତି । ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର । ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଧଳା ରଙ୍ଗ ନମ୍ବର ପ୍ଲେଟ୍‌ ବିଶିଷ୍ଟ କାର୍‌, ବସ୍‌ ଓ ବାଇକ୍‌ ଚାଳକକୁ ଛାଡ଼ି ଦେଉଛନ୍ତି । ଏପରିକି ବରମୁଣ୍ଡା ବସ ଷ୍ଟାଣ୍ଡ ବି ଖାଁ ଖାଁ ଦେଖା ଯାଉଛି।ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି।

ରାଜ୍ୟର ବିଭିନ୍ନ ରାସ୍ତାରେ ଅଟକିଛି ଶହ ଶହ ବସ୍‌ ଓ ଟ୍ରକ । ରାଜପଥରେ ଅଟକିଛି ମାଲବାହୀ ଟ୍ରକ୍‌ । ପ୍ରଭାବିତ ହୋଇଛି ସାଧାରଣ ପରିବହନ । ମାଲ୍‌ ପରିବହନ ଠପ୍‌ ହୋଇଛି । ବହୁ ସ୍ଥାନରେ ବସ୍‌ ଚଳାଚଳ ବି ବନ୍ଦ ରହିଛି । ଫଳରେ ହଇରାଣ ହେଉଛନ୍ତି ଯାତ୍ରୀ । ବସଷ୍ଟାଣ୍ଡରେ ଯାତ୍ରୀ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

ସେହିପରି କଟକ ସହରରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ଖାଁ ଖାଁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ। ସହର ଭିତରକୁ କୌଣସି ବସ୍‌ ପଶି ପାରୁନି । ଫଳରେ ଷ୍ଟାଣ୍ଡ ଭିତରକୁ ଆସିନପାରି ଅଧାରେ ଅଟକି ରହିଛି ବସ୍‌ । ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିନପାରି ଯାତ୍ରୀ ମାନେ ହଇରାଣ ହେଉଛନ୍ତି।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ବୁର୍ଲା, କୁଚିଣ୍ଡା, ହୀରାକୁଦ ସମେତ ଅନ୍ୟ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ପୂରା ପ୍ରଭାବ, ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସୋର ବସ୍‌ ଅଟକାଇ ଡ୍ରାଇଭରବାନେ ପ୍ରତିବାଦ କରିଛନ୍ତି। ଭଦ୍ରକ ଜିଲ୍ଲା ବସ୍ତ ଛକ ଠାରେ ମଧ୍ୟ ଯାତ୍ରୀବାହୀ ବସ୍‌ ଅଟକାଇ ଆନ୍ଦୋଳନକାରୀ ପ୍ରତିବାଦ କରିଛନ୍ତି।

ଆଗକୁ ଡ୍ରାଇଭର ମହାମଞ୍ଚର ଧର୍ମଘଟର ଯାତ୍ରୀ ପରିବହନ ଉପରେ କି ପ୍ରଭାବ ପକାଉଛି ତାଉପରେ ନଜର ରହିଛି । ଧର୍ମଘଟରୁ ଆମ୍ବୁଲାନ୍‌ସ, ସ୍କୁଲ ଗାଡ଼ି ଓ ଜରୁରୀ ସେବାକୁ ବାଦ ଦିଆଯାଇଛି । ଆଇନଶୃଙ୍ଖଳତା ଓ ଅପ୍ରୀତିକର ପରିସ୍ଥିତି ଉପରେ ନଜର ରଖିଛି ପୋଲିସ । ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ପୋଲିସ କର୍ମଚାରୀ । ଏବେ ମାଟ୍ରିକ, ଯୁକ୍ତ ଦୁଇ ଓ ଅନ୍ୟାନ୍ୟ ପରୀକ୍ଷା ଚାଲୁଥିବାରୁ ଧର୍ମଘଟରୁ ନିବୃତ୍ତ ରହିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ କହିଛି । କିନ୍ତୁ ଜିଦରେ ଅଟଳ ଅଛି ଡ୍ରାଇଭର ମହାମଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.