ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ: ତମାଣ୍ଡୋରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଶହ ଶହ ଡ୍ରାଇଭର

ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର । ହଳଦିଆ ନମ୍ବର ବିଶିଷ୍ଟ ଗାଡିକୁ ଅଟକାଉଛନ୍ତି ଓ ଧଳା ନମ୍ବର ବିଶିଷ୍ଟ ଗାଡି, ବସ, ବାଇକ ଚାଳକଙ୍କୁ ଛାଡି ଦେଉଛନ୍ତି ଆନ୍ଦୋଳନକାରୀ ।

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଉଚିତ ଦରମା, ଚାକିରି ସୁରକ୍ଷା ଆଦି ୧୨ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଏକତା ମହାମଞ୍ଚ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର । ହଳଦିଆ ନମ୍ବର ବିଶିଷ୍ଟ ଗାଡିକୁ ଅଟକାଉଛନ୍ତି ଓ ଧଳା ନମ୍ବର ବିଶିଷ୍ଟ ଗାଡି, ବସ, ବାଇକ ଚାଳକଙ୍କୁ ଛାଡି ଦେଉଛନ୍ତି ଆନ୍ଦୋଳନକାରୀ ।

ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ।

କଟକରେ ମଧ୍ୟରେ ଆନ୍ଦୋଳନର ପ୍ରଭାବ ଦେଖାଯାଇଛି। ବାଦାମବାଡ଼ିରେ ବସ ନାହିଁ। ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। କଟକ ସହର ଭିତରକୁ ପଶି ପାରୁ ନାହିଁ ଶତାଧିକ ବସ। ସ୍ଥିତି ତୁରନ୍ତ ସୁଧୁରିବା ଦରକାର ବୋଲି କହିଲା କଟକ ଘରୋଇ ବସ ମାଲିକ ସଙ୍ଘ। ସେହିପରି ସମ୍ବଲପୁର ଅଇଁଠାପାଲି ଛକରେ ମଧ୍ୟ ପ୍ରତିବାଦ କରୁଛନ୍ତି ଡ୍ରାଇଭର ।

ତେବେ ଘରୋଇ ବସ୍ ମାଲିକ ସଂଘ କିନ୍ତୁ ଆନ୍ଦୋଳନରେ ସାମିଲ ହେବନି ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଛି । ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ଓଡ଼ିଶା ପରିବହନ ସଂଘ, କଳିଙ୍ଗ ଅଟୋ ମହାସଂଘ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱରରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଗୁଡ଼ିକରେ କର୍ମୀମାନେ ତାଙ୍କ ନିଷ୍ପତ୍ତି ଅନୁସାରେ ଧାରଣା ଦେବେ ।

ଡ୍ରାଇଭର ଏକତା ମହାମଞ୍ଚର ନେତା ଅକ୍ଷୟ ନାୟକ କହିଛନ୍ତି ଯେ, ଆମେ ସମସ୍ତଙ୍କ ସହଯୋଗରେ ଆନ୍ଦୋଳନ କରିବୁ। ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟରାସ୍ତାକୁ ଅବରୋଧ କରାଯିବ। ମୋ ବସ , ସ୍କୁଲ ବସ୍ , ପରୀକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଥିବା ଗାଡ଼ି, ଛାତ୍ରଛାତ୍ରୀ ଯାଉଥିବା ଗାଡ଼ି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍, ଆମ୍ବୁଲାନ୍ସ, ବିଦ୍ୟୁତ୍ ବିଭାଗ ଗାଡ଼ି, ଦମକଳ ଆଦିକୁ ଛଡ଼ାଯିବ। ହେଲେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ନିୟୋଜିତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.